Advertisement

ପାରିବାରିକ ଶତ୍ରୁତାରୁ ହତ୍ୟା ଉଦ୍ୟମ ଘଟଣା: କାତି-ଠେଙ୍ଗା ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର ସୁଶାନ୍ତ ଦାସଙ୍କୁ  ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଏକ ହତ୍ୟା ଉଦ୍ୟମ ଘଟଣାରେ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୯୪/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲକୁ ପଠାଇ ଦିଆଯାଇଛି ।

ସାହିର ବୁଲୁ ଦାସ  ସହ ସୁଶାନ୍ତ ଙ୍କ ଦୀର୍ଘଦିନ ହେଲା ପାରିବାରିକ ଶତ୍ରୁତା ଥିଲା। ଗତ ପ୍ରାୟ ୬ ମାସ ପୂର୍ବେ ଆମ୍ବ ବିକ୍ରିକୁ କେନ୍ଦ୍ରକରି ସୁଶାନ୍ତ ଓ ତାଙ୍କ  ପରିବାର ଲୋକେ ବୁଲୁଙ୍କ ଝିଅ ମାନଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ସଂଘବଦ୍ଧ ଆକ୍ରମଣ କରିଥିଲେ। ଏନେଇ ଏତଲା ହେବା ପରେ ପୋଲିସ ସୁଶାନ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାଁ ରେ ମକଦ୍ଦମା ରୁଜୁ କରି କୋର୍ଟରେ ଚାର୍ଜସିଟ ପ୍ରଦାନ କରିଥିଲେ। ଗତ ୩ ତାରିଖରେ ସାକ୍ଷ୍ୟ ବିଚାର ପାଇଁ ବୁଲୁଙ୍କ ପରିବାର ଲୋକଙ୍କୁ ଦିଗପହଣ୍ଡି କୋର୍ଟରୁ ନୋଟିସ ଯାଇଥିଲା। ସୁଶାନ୍ତ ଏହା ଜାଣିବା ପରେ ବୁଲୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରି କୋର୍ଟ ରେ ତାଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ୪ ତାରିଖ ରାତି ପ୍ରାୟ ସାଢ଼େ ୧୦ ଟାରେ ବୁଲୁ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ସୁଶାନ୍ତ ଏବଂ ତାଙ୍କ ସମ୍ପର୍କୀୟ ଲୋକେ ପୂର୍ବ ପ୍ରସୂତି ପ୍ରକାରେ ସଂଘବଦ୍ଧ ଭାବେ ତାଙ୍କୁ  ଖଣ୍ଡା,କାତି,ଠେଙ୍ଗା ପ୍ରଭୃତି ମାରଣାସ୍ତ୍ର ସାହାଯ୍ୟ ରେ ଆକ୍ରମଣ କରିଥିଲେ। ବୁଲୁଙ୍କ ମୁଣ୍ଡ ,ଡ଼ାହାଣ ହାତ ଓ ପିଠି ରେ ଗଭୀର କ୍ଷତ ହୋଇଥିଲା।ବୁଲୁ ପ୍ରାଣ ବିକଳରେ ଘର ମଧ୍ୟକୁ ଦୌଡ଼ି ପଳାଇଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ବୁଲୁ ଘଟଣା ସମ୍ପର୍କରେ ଫୋନ ଯୋଗେ ଦିଗପହଣ୍ଡି ଥାନାକୁ ଜଣାଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ବୁଲୁଙ୍କ ସ୍ତ୍ରୀ ଲକ୍ଷ୍ମୀ ବଡ଼ ଡାକ୍ତରଖାନାରୁ ଫେରିବା ପରେ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି  ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel