୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୦ା୮: ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ କେସ୍‌ ନମ୍ବର ୨୩୬/୨୦ ଅନୁସାରେ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ କାଳିଆ ସ୍ବାଇଁ (୩୨)ବୋଲି ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି । ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ସେହିପରି କୋର୍ଟରେ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ବୋଲି ପୋଲିସ କହିଛି। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଓରାମ କହିଛନ୍ତି।
ଘଟଣାରୁ ପ୍ରକାଶ, କାଳିଆ ଦୁଇ ଦିନ ତଳେ ଛାତ୍ରୀ ଜଣଙ୍କୁ କୌଶଳ କ୍ରମେ ଅନ୍ୟ ଜଣେ ଲୋକଙ୍କ ଘରକୁ ଡାକି ସେଠାରେ କିଏ ନ ଥିବା ବେଳେ ବଳାତ୍କାର ଉଦ୍ୟମ କରିଥିଲେ। ଏହି ସମୟରେ ଝିଅଟି ପାଟି କରିଥିଲେ। ତେବେ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। କାଳିଆଙ୍କୁ ତାଗିଦ କରିବା ସହ ସେଠାରୁ ତଡ଼ି ଦେଇଥିଲେ। ଛାତ୍ରୀ ଜଣଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ମା’ଙ୍କୁ କାନ୍ଦି କହିଥିଲେ। ପରେ ଏ ନେଇ ପୀଡ଼ିତାଙ୍କ ମା’ସଦର ଥାନାରେ ଏତଲା ଦେଇଥିଲେ।

Share