ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ ଜୀବନରେ ମାରିଦେବାର ପ୍ରୟାସ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା ପୋଲିସ ଡାଇରେକ୍ଟର ପ୍ରଶାନ୍ତ ସାହୁଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ବୁଧବାର ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିବା ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବିର ଗ୍ରାମର ପ୍ରଶାନ୍ତ କୁମାର ସାହୁ (୪୦) ମିରିଗିଡିଆ ସାହିରେ ଏକ ନର୍ସିଂ ଟ୍ରେନିଂ ସ୍କୁଲ ସ୍ଥାପନ କରିଥିଲେ। ଏଥିରେ ପ୍ରଧାନସାହିର ଜଣେ ମହିଳା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଟ୍ରେନିଂ ସ୍କୁଲ ପାଇଁ ଏକ ଗାଡି କିଣିବା ଲାଗି ଡାଇରେକ୍ଟର ପ୍ରଶାନ୍ତ ଉକ୍ତ ମହିଳା କର୍ମଚାରୀଙ୍କଠାରୁ ୨ଲକ୍ଷ ଟଙ୍କା ଧାର ଆକାରରେ ନେବା ସହ ୨ ମାସ ଭିତରେ ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଡାଇରେକ୍ଟର ଶିକ୍ଷୟିତ୍ରୀଙ୍କଠାରୁ ଗତ ମାର୍ଚ୍ଚ ୧୦ ତାରିଖରେ ସ୍କୁଲ ଛାତ୍ରୀଙ୍କ ଜମାଥିବା ଟଙ୍କା ମଧ୍ୟରୁ ୭୦ ହଜାର ଟଙ୍କା ମାଗିଥିଲେ। ଶିକ୍ଷୟିତ୍ରୀ ଜଣକ ପ୍ରଶାନ୍ତଙ୍କୁ ମୋଟ ୨ଲକ୍ଷ ୭୦ ହଜାର ଟଙ୍କା ଦେଲା ପରେ ସେ ଆଉ ଧରାଛୁଆଁ ଦେଇ ନ ଥିଲେ। ତେବେ ଗତ ମାର୍ଚ୍ଚ ୧୬ ତାରିଖରେ ପ୍ରଶାନ୍ତ ନିଜ ଗ୍ରାମ ଟିଙ୍କବିରରୁ ନର୍ସିଂ ସ୍କୁଲରେ ପହଞ୍ଚିବା ପରେ ଶିକ୍ଷୟିତ୍ରୀ ଜଣକ ଟଙ୍କା ମାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଶାନ୍ତ ଶିକ୍ଷୟିତ୍ରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଶିକ୍ଷୟିତ୍ରୀ ସ୍କୁଲରୁ ନିଜ ରୁମ୍‌କୁ ଫେରିବା ପରେ ପ୍ରଶାନ୍ତ ସେଠାରେ ପହଞ୍ଚି କୋଠରି ମଧ୍ୟକୁ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଶିକ୍ଷୟିତ୍ରୀ ଜଣକ ଏହାର ପ୍ରତିବାଦ କରିବାରୁ ପ୍ରଶାନ୍ତ ତାଙ୍କ ଗାଲ, ଓଠକୁ କାମୁଡି ଛିଣ୍ଡାଇ ଦେବା ସହ ବେକକୁ ଚିପି ଦେବାକୁ ଉଦ୍ୟମ କରିଥିଲେ। ସେ ଅଚେତ ହୋଇ ପଡିଥିଲେ। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ସେ ପଳାଇ ଆସିଥିଲେ। ଶିକ୍ଷୟିତ୍ରୀ ଚିକିତ୍ସିିତ ହୋଇ ଫେରିବା ପରେ ମଙ୍ଗଳବାର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Share