ବୁଗୁଡ଼ା,୨୮ା୨(ଡି.ଏନ.ଏ.) ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି-ବାଘୁଆ ମଧ୍ୟରେ ଶନିବାର ମଧ୍ୟରାତ୍ରରେ ମୁଖ୍ୟ ରାସ୍ତାରେ କାଠ ପକାଇ ଡକାୟତି ଉଦ୍ୟମ ହୋଇଛି। ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି। କାର ଯୋଗେ ଭୁବନେଶ୍ୱରରୁ ବୁଗୁଡ଼ା ଆସୁଥିବା ବେଳେ ହୋଇଥିଲା ଲୁଟ ଉଦ୍ୟମ।
ଅଭିଯୋଗ ଅନୁସାରେ, ବୁଗୁଡ଼ା ଏନ୍ଏସି ବୀର ଧନର୍ଜୟପୁର ଗ୍ରାମର ସୁରେଶ ଚନ୍ଦ୍ର ଦାଶଙ୍କ ପୁଅ ସନ୍ଦୀପ ଓ ବୋହୂ ଅମ୍ରିତା ଶର୍ମା କାର ଯୋଗେ ଆସୁଥିବା ବେଳେ ରାତି ପ୍ରାୟ ସାଢେ ବାରଟାରେ ରାସ୍ତାରେ କାଠ ପଡ଼ିଥିବା ଦେଖି ତାଙ୍କ ଡ୍ରାଇଭର ଗାଡିକୁ ରଖିବା କ୍ଷଣି ୫ ଜଣ ଦୁର୍ବୃତ୍ତ ହାତରେ ଖଣ୍ଡା କାତି ଧରି ଗାଡି ଉପରକୁ ଝପଟି ଆସି ଗାଡିର ଉଭୟ ପଟ ଡୋର କାଚ ଭାଙ୍ଗି ଦେଇଥିଲେ ଏବଂ ଗାଳିଗୁଲଜ କରି ଯାହା ରଖିଛ ଦେଇଦିଅ ବୋଲି ଧମକ ଦେଇଥିଲେ। ତେବେ ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତାରେ ପଡ଼ିଥିବା କାଠଗଣ୍ଡି ଉପରେ ଗାଡି ଚଡାଇ ଡ୍ରାଇଭର ଗାଡିକୁ ଦ୍ରୁତ ଗତିରେ ନେଇ ପଳାଇ ଆସିବାରେ ସକ୍ଷମ ହୋଇଥିଲେ। ଫଳରେ ଏକ ନିଶ୍ଚିତ ଲୁଟ୍ରୁ ବର୍ତ୍ତି ଯାଇଛନ୍ତି। ରବିବାର ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।