ପଞ୍ଜାବରେ ଆତ୍ମଘାତୀ ଆକ୍ରମଣ ଉଦ୍ୟମ ପଣ୍ଡ, ୧୦ ଆଇଏସଆଇଏସ ଆତଙ୍କବାଦୀ ଗିରଫ…

ଇସଲାମାବାଦ,୨୮।୧୦: ଗତ କିଛି ଦିନ ହେବ ପାକିସ୍ତାନରେ ବିଭିନ୍ନ ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣ ହେବାରେ ଲାଗିଛି। ଏନେଇ ପୋଲିସ ବିଭାଗ ସତର୍କ ରହିଛି। ଏହି କ୍ରମରେ ପଞ୍ଜାବ ପ୍ରଦେଶର କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) କହିଛି ଶନିବାର ଦିନ ଏହି ପ୍ରଦେଶରେ ଆଇଏସଆଇଏସ ଏବଂ ଅଲ-କାଏଦା ସମେତ ବିଭିନ୍ନ ନିଷିଦ୍ଧ ସଂଗଠନର ୧୦ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀମାନେ ଏକ ବଡ ଧରଣର ଆତ୍ମଘାତୀ ଷଡଯନ୍ତ୍ର କରିବାକୁ ଯାଉଥିବାର ଖବର ମିଳିବା ପରେ ଏହାର ଅନୁସନ୍ଧାନ କରାଯାଇଥିଲା।

 

କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି ଏହି ସପ୍ତାହରେ ପଞ୍ଜାବର ବିଭିନ୍ନ ଜିଲାରେ ୧୧୭ ଟି ଗୁପ୍ତଚର କାର୍ଯ୍ୟ କରାଯାଇଥିଲା। ଏଥିରେ ୧୧୭ ଜଣଙ୍କୁ ପଚରାଉଚରା କରାଯାଇଥିଲା। ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ନିଷେଧ ସାମଗ୍ରୀ ସହିତ ୧୦ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଫଳରେ ଏକ ଆତ୍ମଘାତୀ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି।

ସିଟିଡି ଅନୁଯାୟୀ, ଏହି ଆତଙ୍କବାଦୀମାନଙ୍କୁ ଲାହୋର, ରହୀମ ୟାର ଖାନ, ସର୍ଗୋଡା ଏବଂ ବାହାଲପୁରରେ ଗିରଫ କରାଯାଇଛି। ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଆଇଇଡି ବୋମା, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ତିନୋଟି ଡିଟୋନେଟର, ୧୧ ଫୁଟ ଫ୍ୟୁଜ ତାର, ନଗଦ ଟଙ୍କା ଜବତ କରାଯାଇଛି। ପୋଲିସ ତାଙ୍କ ବିରୋଧରେ ଆଠଟି ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରିଛି।

 

Share