ପରୀକ୍ଷାର୍ଥୀଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଉଛି: ବୋର୍ଡ

କଟକ,୨୬ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କେତେଜଣ ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨ ଆଉ ଏକ ସ୍ଥାନରେ ଦେବା ପାଇଁ ସ୍ଥିର ହୋଇଛି। ଗୋଟିଏ ଦିନରେ ଦୁଇଟି ଭିନ୍ନ ସ୍ଥାନରେ କିପରି ପରୀକ୍ଷା ଦେବେ, ତାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡିଛନ୍ତି। ଏ ସମ୍ପର୍କରେ କେତେଜଣ ପରୀକ୍ଷାର୍ଥୀ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଫଳରେ ବୋର୍ଡ ପକ୍ଷରୁ ରବିବାର ଏ ନେଇ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି, ଯଦି କୌଣସି ପରୀକ୍ଷାର୍ଥୀ ପେପର-୧ ଏବଂ ପେପର-୨ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ପ୍ରଥମ ପେପର ପରୀକ୍ଷା ପାଇଁ ଫର୍ମପୂରଣବେଳେ ଯେଉଁ ପଞ୍ଜୀକରଣ ନମ୍ବର ଦାଖଲ କରିଥିବେ ଦ୍ୱିତୀୟ ପେପର ଫର୍ମ ପୂରଣବେଳେ ସେହି ପଞ୍ଜୀକରଣ ନମ୍ବର ଦାଖଲ କରିବାକୁ ପଡିବ। ଏହାଦ୍ୱାରା ଜଣାପଡିବ ଯେ ଜଣେ ପରୀକ୍ଷାର୍ଥୀ ଦୁଇଟି ପେପର ପରୀକ୍ଷା ଦେବାକୁ ଚାହୁଁଛନ୍ତି। ଫଳରେ ତାଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯିବ। ଏହି ନିର୍ଦ୍ଦେଶାବଳୀ ଅନୁସାରେ ଉଭୟ ପେପର ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ପାଖାପାଖି ୩୧,୦୦୦ ପରୀକ୍ଷାର୍ଥୀଙ୍କ ନିମନ୍ତେ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ହେଲେ ଯେଉଁ ପରୀକ୍ଷାର୍ଥୀମାନେ ଏହି ନିର୍ଦ୍ଦେଶାବଳୀକୁ ଅନୁକରଣ କରିନାହାନ୍ତି ଅର୍ଥାତ୍‌ ପ୍ରଥମ ପେପର ପରୀକ୍ଷା ପାଇଁ ପଞ୍ଜୀକରଣ ନମ୍ବର ଗୋଟିଏ ଏବଂ ଦ୍ୱିତୀୟ ପେପର ପରୀକ୍ଷା ନିମନ୍ତେ ଆଉ ଗୋଟିଏ ପଞ୍ଜୀକରଣ ନମ୍ବର ଦେଇଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଅସୁବିଧା ପରିଲକ୍ଷିତ ହୋଇଛି। ତେଣୁ ସେମାନଙ୍କୁ ସହାୟତା କରିବା ପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଅଦ୍ୟାବଧି ୨୬୦ ଜଣ ପରୀକ୍ଷାର୍ଥୀ ଯୋଗାଯୋଗ କରିଛନ୍ତି ଏବଂ ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଯେଉଁମାନଙ୍କର ଅସୁବିଧା ଦୂର କରାଯାଇ ପାରିବ, ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ।

Share