କଂଗ୍ରେସକୁ ଦୁର୍ବଳ କରିବା ଉଦ୍ୟମ ଚାଲିଛି

ଭୁବନେଶ୍ବର, ୧୮ା୭(ସୁନିତ୍‌ ମିଶ୍ର): କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍‌ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯିବା ପରେ ଦଳ ଭିତରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ମୋକିମ୍‌ ନିଲମ୍ବନ ଆଦେଶ ପାଇବା ପରେ ନିଜର ପ୍ରତିକ୍ରିୟା ପୂର୍ବରୁ ରଖିସାରିଥିବା ବେଳେ ରାଜ୍ୟ ବାହାରେ ଥିବା ଚିରଞ୍ଜୀବ ସୋମବାର ନିଜ ମତାମତ ରଖିଛନ୍ତି। ପରୋକ୍ଷରେ ତାଙ୍କ ବିରୋଧରେ ଏକ କୁଚକ୍ରୀ ଗୋଷ୍ଠୀ ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି। ଏହାସହ ଯେଉଁ ଜିଲାରେ କଂଗ୍ରେସ ସୁଦୃଢ଼ ଅଛି ସେଠାରେ ଦଳକୁ ଦୁର୍ବଳ କରିବା ଲାଗି ସେହି କୁଚକ୍ରୀ ଗୋଷ୍ଠୀ ଉଦ୍ୟମ ଚଳାଇଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ସିଧାସଳଖ ନ ହେଲେ ବି ସେ ପରୋକ୍ଷରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି। ତାଙ୍କର ଏବଂ ତାଙ୍କ ପରିବାରକୁ କଂଗ୍ରେସରୁ ଦୂରେଇ ଦଳ ଓଡ଼ିଶାରେ ୯ରୁ ୯୦ ଆସନ ଯଦି ଜିତିଯିବ ଭାବୁଛି ତେବେ ସାଧୁବାଦ ବୋଲି ଚିରଞ୍ଜୀବ କହିଛନ୍ତି।
ଚିରଞ୍ଜୀବ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଦୀର୍ଘ ୨୩ ବର୍ଷ ହେଲା କଂଗ୍ରେସ ରାଜ୍ୟରେ କ୍ଷମତାରେ ନାହିଁ। ଯେଉଁ ଜିଲାରେ କଂଗ୍ରେସ ସବଳ ରହିଛି ସେଠାରେ ସଂଗଠନକୁ ଦୁର୍ବଳ କରିବା ପାଇଁ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଚକ୍ରାନ୍ତ କରାଯାଉଛି। ସେମାନଙ୍କ ଚକ୍ରାନ୍ତରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ତେଣୁ କଂଗ୍ରେସକୁ ବଞ୍ଚାଇବା ପାଇଁ ଦଳର ନେତା, କର୍ମୀ, ଶୁଭେଚ୍ଛୁ ଓ ସମର୍ଥକମାନେ ଏକଜୁଟ ହୁଅନ୍ତୁ। ଏହାସହ ସେ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ କେଉଁ ଦଳରୁ ଲଢ଼ିବେ ତାହା ସ୍ପଷ୍ଟ କରିନାହାନ୍ତି। ଏବେ ବି ସେ କଂଗ୍ରେସରେ ଅଛନ୍ତି ବୋଲି ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟ କରିଛି ବୋଲି ପିସିସି ସଭାପତି ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ନିକଟରେ ଅଭିଯୋଗ କରିବା ସହିତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିଥିଲେ। ତାଙ୍କ ସୁପାରିସରେ ଗତ ୧୫ ତାରିଖରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। କଂଗ୍ରେସର ସେ ଜଣେ ଶୃଙ୍ଖଳିତ କର୍ମୀ। ନିଲମ୍ବନ ଆଦେଶ ତାଙ୍କୁ ଦାରୁଣ ଆଘାତ ଦେଇଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ପ୍ରତ୍ୟେକ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଭୋଟ ହାର ହ୍ରାସ ପାଇବାରେ ଲାଗିଛି। କଂଗ୍ରେସର ଜଗତ୍‌ସିିଂହପୁର ଜିଲାରେ ପ୍ରାୟ ୨ଲକ୍ଷ ଭୋଟ୍‌ ରହିଛି। କଟକ, କୋରାପୁଟ ଓ ଜଗତସିଂହପୁର ଭଳି ଜିଲାରେ କଂଗ୍ରେସ ସଙ୍ଗଠନର ସ୍ଥିତି ଭଲ ଥିବାବେଳେ ସେଠାରେ ଦଳକୁ ଦୁର୍ବଳ ଓ ଭାଗଭାଗ କରିବାକୁ କୁଚକ୍ରୀ ଗୋଷ୍ଠୀ ପ୍ରୟାସ କରୁଛନ୍ତି। ନିଜ ଛାଇ ଦେଖି ଓ ଗୋଡ଼ତଳେ ମାଟି ନ ଥିବା ଲୋକ ହିଁ ତାଙ୍କ ବିରୋଧରେ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ସେ କହିଛନ୍ତି। ସୁଯୋଗ ମିଳିଲେ ଏଆଇସିସି କର୍ତ୍ତୃପକ୍ଷଙ୍କ ଆଗରେ ନିଜର ପକ୍ଷ ରଖିବି ବୋଲି ସେ କହିଛନ୍ତି।

Share