ଅନୁଗୋଳ ଅଫିସ, ୧୫ା୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ତୁରନ୍ତ ଛଟେଇ କରିବାକୁ ରାଜ୍ୟ ସରକାର ଗତ ୧୧ତାରିଖରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ପାଇବା ପରେ ମେଡିକାଲ କର୍ତ୍ତୃପକ୍ଷ ଶୁକ୍ରବାର ରାତିରେ ୧୧ ପାରା ମେଡିକାଲ କର୍ମଚାରୀଙ୍କୁ ଛଟେଇ କରିଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ଲାବୋରେଟୋରି ଟେକ୍ନିସିଆନ୍, ୫ ଫାର୍ମାସିଷ୍ଟ, ୩ ରେଡିଓଗ୍ରାଫର ଅଛନ୍ତି। ଅନ୍ୟପଟେ ଏଭଳି ବେଆଇନ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ଥିବା କର୍ମଚାରୀ ଏବେ କିଭଳି ନିଜ ମୁଣ୍ଡରୁ ଦୋଷ ଖସାଇବେ ସେ ନେଇ କସରତ ଆରମ୍ଭ କରିଛନ୍ତି। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ସେମାନେ ଏବେ ଭୁବନେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।