ସିବିଆଇ ତଦନ୍ତ ଦାବିରେ ନବୀନ ନିବାସ ଘେରାଉ ଉଦ୍ୟମ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାକୁ ନେଇ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସୋମବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରରୋଚନାରେ ପୋଲିସ ଉକ୍ତ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ବିଧାୟକ ନାୟକଙ୍କୁ ଦଳରୁ ବହିଷ୍କାର ଓ ତଦନ୍ତକୁ ରଫାଦଫା କରିଥିବା କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ସହ ସୂଚନା ଅଧିକାର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ପ୍ରଥମେ ମାଷ୍ଟର କ୍ୟାଣ୍ଟିନ ଛକରେ ଶତାଧିକ ସୂଚନା ଅଧିକାର କର୍ମୀ ଏକାଠି ହେବା ପରେ ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ଶିଶୁଭବନ ଛକରୁ ନବୀନ ନିବାସ ଆଡ଼କୁ ଧସେଇ ପଶିବା ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇଥିଲା। ପରେ ପୋଲିସ ଓ ସୂଚନା ଅଧିକାର କର୍ମୀଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍‌ ଧସ୍ତାଧସ୍ତି ହୋଇଥିଲା। ଶତାଧିକ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ପାକଳ, ସଂଯୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ସୁଧୀର ମହାନ୍ତି, ଜିତେନ୍ଦ୍ର ସାହୁ, ପ୍ରତାପ ସାହୁ, ନବକିଶୋର ଦାସ ପ୍ରମୁଖ ସହଯୋଗ କରିଥିଲେ।

Share