ବାଉଁଶ କାରିଗରଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରୟାସ

ବାଲେଶ୍ୱର ଅଫିସ, ୧୧।୧-କୌଳିକ ବୃତ୍ତିକୁ ପାଥେୟ କରି ପରିବାର ଭରଣପୋଷଣ କରୁଥିବା ବାଉଁଶ କାରିଗରଙ୍କ ପରିବାର ଦୟନୀୟ ଅବସ୍ଥାରେ ରହିଛନ୍ତି। ସେମାନଙ୍କୁ ମିଳୁନି ପ୍ରସ୍ତୁତ ସାମଗ୍ରୀର ଉଚିତ୍‌ ମୂଲ୍ୟ। ବିକ୍ରି ଲାଗି ସ୍ବତନ୍ତ୍ର ବଜାର ନାହିଁ। ସରକାରୀ ସହାୟତା ମିଳିବା ଏମାନଙ୍କ ପାଇଁ ସ୍ବପ୍ନ ହୋଇଛି। ଏଭଳି ସ୍ଥିତିରେ କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ଏକାଠି ହୋଇ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ଦୃଢ଼ କରିବା ସହ ସ୍ବାବଲମ୍ବୀ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ବାଲେଶ୍ୱର ଜିଲା ରେମୁଣା ହାଟପଡ଼ିଆସ୍ଥିତ ଡୁମପଡ଼ାରେ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ବସବାସ କରିଆସୁଥିବା ୭ ବାଉଁଶ କାରିଗର ପରିବାର ଏବେ ଅବହେଳିତ। ସେମାନଙ୍କୁ ସାମାଜିକ ଧାରାରେ ସାମିଲ କରି ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ବୃତ୍ତିର ଉନ୍ନତି ପାଇଁ ବାଲେଶ୍ୱରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବାୟ ଫାଉଣ୍ଡେଶନ, ବଣ ଧୂଳିର ଫୁଲ, ନ୍ୟୁଟନ ନିଶା ନିବାରଣ କେନ୍ଦ୍ର, ରେ ଅଫ୍‌ ହୋପ୍‌, ଯୁବ ବିକାଶ, ଆଶାର ଆଲୋକ, ଆଶା ଅନୁଷ୍ଠାନ, କଲାମ ଯୁବ ପରିଷଦ ସହଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ସେବାୟ ଫାଉଣ୍ଡେଶନ ପକ୍ଷରୁ ପ୍ରତି କାରିଗର ପରିବାରକୁ ୧୦ଟି ଲେଖାଏଁ ବାଉଁଶ ପ୍ରଦାନ କରାଯାଇଛି। ନିଜ ପରିବେଶକୁ ସଫାସୁତୁରା ରଖିବା ସହ ଆଚାର ବ୍ୟବହାର ଓ ଖାଦ୍ୟପେୟରେ ପରିବର୍ତ୍ତନ ଆଣି ନିଜର ଉନ୍ନତି ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି ବାଉଁଶକୁ ପୁଞ୍ଜି କରି ବ୍ୟବସାୟକୁ ଆଗକୁ ନେବେ ବୋଲି ଶୁକ୍ରା କାଳନ୍ଦୀ, ବାଇଧର କାଳନ୍ଦୀ, ବୁଦୁନୀ କାଳନ୍ଦୀ, ରଜନୀ କାଳନ୍ଦୀ, ଉତମୀ କାଳନ୍ଦୀ କହିଛନ୍ତି।
ଏ ସମ୍ପର୍କରେ ଶିଳ୍ପୀ କେଶୁ ଦାସ କହନ୍ତି, କିଛିଦିନ ପୂର୍ବରୁ ସେମାନଙ୍କ ବାଉଁଶରୁ ତିଆରି ବିଭିନ୍ନ ସାମଗ୍ରୀକୁ ଲକ୍ଷ୍ୟ କରିବା ପରେ ଗତ ନୂଆବର୍ଷରେ କିଛି ସ୍ବେଚ୍ଛାସେବୀ ସଙ୍ଗଠନର ମୁଖ୍ୟବ୍ୟକ୍ତିତ୍ୱଙ୍କ ସହ ଡୁମପଡ଼ାରେ ପହଞ୍ଚିଥିଲେ। ସେମାନଙ୍କ ସହ କଥାବାର୍ତ୍ତା ପରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇ ଧୀରେ ଧୀରେ ସେମାନଙ୍କ ବୃତ୍ତି ବୁଡ଼ିଯାଉଥିବା ପ୍ରକାଶ କରିଥିଲେ। ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ସ୍ବେଚ୍ଛାସେବୀ ନିଜର ମତାମତ ରଖିଥିଲେ। ସେମାନଙ୍କ ସହିତ ନୂଆବର୍ଷ ପାଳନ କରି ଶୁଖିଲା ଖାଦ୍ୟ, କମ୍ବଳ, ଶାଲ, ରାଶନ ପ୍ରତି ପରିବାରକୁ ପ୍ରଦାନ କରାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ପରିଲକ୍ଷିତ ହେବା ପରେ ସେମାନଙ୍କ ବୃତ୍ତି ପାଇଁ ସହଯୋଗର ହାତ ବଢ଼ାଇଥିଲେ। ଏଥିସହିତ ଉକ୍ତ ଡୁମପଡ଼ାକୁ ଡୁମଧାମରେ ଗଢ଼ିବା ପାଇଁ ସାମିଲ ଥିବା ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।