Advertisement

ହାତୀଦାନ୍ତ ବିକ୍ରି ପାଇଁ ଉଦ୍ୟମ, ୨ ତସ୍କରଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼, ୧୩।୧୨(ଡି.ଏନ୍‌.ଏ.): ହାତୀ ଦାନ୍ତ ଜବତ କରିବା ସହ ଦୁଇ ତସ୍କରଙ୍କୁ ଗିରଫ କରିଛି ରିଆମାଳ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିଲେଇବଣି ବ୍ଲକ ଡିମିରିକୁଦା ଗ୍ରାମର ପିଟର ଟିଗା(୪୩) ଏବଂ ବିଲେଇଘଟି ଗ୍ରାମର ଫଗୁଆ ଟ୍ରିଓବାନ୍ସ(୨୭)। ସେମାନଙ୍କଠାରୁ ପ୍ରାୟ ୧୧.୧୬୪ କେଜି ଓଜନର ୨ଟି ହାତୀ ଦାନ୍ତ ସହ ୨ଟି ବାଇକ ଓ ମୋବାଇଲ ଫୋନ ପୋଲିସ ଜବତ କରିଛି।

ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ପ୍ରମୋଦ କୁମାର ରଥ ସବିଶେଷ ସୂଚନା ଦେଇ କହିଛନ୍ତି ଯେ, ବିଶେଷ ସୂତ୍ରରୁ ଖବର ପାଇ ରିଆମାଳ ଥାନା ପୋଲିସ ଗୋହିରା ଡ୍ୟାମ ନିକଟରେ ଚଢାଉ କରିଥିଲା। ଚଢ଼ାଉ କରି ପୋଲିସ ହାତୀ ଦାନ୍ତ ଜବତ କରିବା ସହ ୨ ଜଣ ତସ୍କରଙ୍କୁ ମଧ୍ୟ ଗିରଫ କରଛି। ସେମାନେ ୨ଟି ହାତୀ ଦାନ୍ତକୁ ୬ ଖଣ୍ଡ କରି ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ କରାଯାଉଛି। ଅନ୍ୟପଟେ ହାତୀଟିକୁ କେଉଁ ଜଙ୍ଗଲରୁ ମରାଯାଇଥିଲା ଏବଂ ଗିରଫ ତସ୍କର ମାନେ ହାତୀଟିକୁ ହତ୍ୟା କରିଥିଲେ ନା ଅନ୍ୟମାନେ ସାମିଲ ଥିଲେ ସେନେଇ ବନବିଭାଗ ମଧ୍ୟ ଅଧିକ ତଦନ୍ତ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ତେବେ ଏହି ଖବରଦାତା ସମ୍ମିଳନୀରେ ଡିଆଇବି ଡିଏସପି ପ୍ରଦୀପ କେରକେଟା , ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share