Advertisement

ଯାଞ୍ଚବେଳେ ପୋଲିସକୁ ଗାଡ଼ି ମଡ଼ାଇବାକୁ ଉଦ୍ୟମ

ନନ୍ଦପୁର, ୨୬ା୯ (ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଛକୁଣ୍ଡ ପୋଲିସ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରି ୧କୁଇଣ୍ଟାଲ ୪୨କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ସ୍କର୍ପିଓ (ଓଡି୦୨ ସିସି-୯୪୩୧) ଜବତ ହୋଇଛି। ଜଣକୁ ଗିରଫ କରାଯାଇଥିବା ଜଣାପଡିଛି। ସେ ହେଲେ ଝାଡଖଣ୍ଡର ମୁରଲୀ ମୋହନ ପାଲ। ତାଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି। ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା ସ୍କର୍ପିଓର ପିଛା କରୁଥିବା ସମୟରେ ସ୍କର୍ପିଓଟି ରାସ୍ତାରେ ଥିବା ଗୋଟିଏ ବାଇକ୍‌ ଓ ଗୋଟିଏ ସ୍କୁଟିକୁ ଧକ୍କା ଦେଇ ପୋଲିସ ଉପରକୁ ଗାଡି ମଡାଇ ଦେବାକୁ ଉଦ୍ୟମ କରିଥିବା ଜଣାପଡିଛି। ତେବେ କ୍ଷତିଗ୍ରସ୍ତ ଉଭୟ ଗାଡିର ଚାଳକ ବର୍ତ୍ତି ଯାଇଛନ୍ତି। ଅନ୍ୟପକ୍ଷରେ ମାଛକୁଣ୍ଡ ପୋଲିସ ପକ୍ଷରୁ ଏହି ଯାଞ୍ଚ ଲାଗି ରାସ୍ତାରେ ସ୍କୁଟି ଓ ବାଇକ୍‌କୁ ଯୋଜନାବଦ୍ଧ ଭାବେ ରଖାଯାଇଥିବା ଆଲୋଚନା ହେଉଛି।
ଖବରରୁ ଜଣାପଡିଛି, ଆନ୍ଧ୍ର ମୁଚିଙ୍ଗପୁଟ ଅଞ୍ଚଳରୁ ଲମତାପୁଟ ଦେଇ ସ୍କର୍ପିଓଟି ଝାଡ଼ଖଣ୍ଡ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଗୋଇନ୍ଦା ସୂଚନା ପାଇ ମାଛକୁଣ୍ଡ ଥାନାଧିକାରୀ ଡି.ବତ୍ରିଆଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସ୍କର୍ପିଓ ସମେତ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାକୁ ଯୋଜନା ହୋଇଥିଲା। ଲମତାପୁଟ କଲେଜ ନିକଟରେ ଫାଣ୍ଡି ଅଧିକାରୀ ନାକା ଲଗାଇ ଜଗି ବସିଥିଲେ। ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ ସମ୍ମୁଖରେ ପୋଲିସ ଦେଖି ଇତସ୍ତତଃ ହୋଇ ରାସ୍ତାରେ ରଖାଯାଇଥିବା ବୈପାରିଗୁଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍କୁଟି ଓ ତୁସୁବା ଗ୍ରାମର ଯୁବକଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ସେଠାରେ ସଙ୍ଗେସଙ୍ଗେ ପୋଲିସ ପହଞ୍ଚତ୍ ସ୍କର୍ପିଓ ସହ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିବା ବେଳେ ଚାଲାଣକାରୀ ପାଲ୍‌ ପୋଲିସ ଉପରକୁ ଗାଡି ମଡାଇ ଦେବାକୁ ଉଦ୍ୟମ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share