‘ଓଏସ୍‌ଏସ୍‌ସି ଦୁର୍ନୀତି ଚପାଇବାକୁ ଉଦ୍ୟମ’

ଭୁବନେଶ୍ୱର, ୩।୮(ବ୍ୟୁରୋ): ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ମହାଦୁର୍ନୀତି ପ୍ରତିବାଦରେ ସୋମବାର ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଷ୍ଟାଫ୍‌ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ଏଡିଏମ୍‌ ଅଫିସଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଷ୍ଟାଫ୍‌ ସିଲେକ୍ସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ବିକ୍ଷୋଭରତ ଛାତ୍ର କଂଗ୍ରେସ ସଭାପତି ନୱାଜ ଓ କର୍ମକର୍ତ୍ତାଙ୍କୁ ପୋଲିସ ଷ୍ଟାଫ୍‌ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରୁ ବଳପୂର୍ବକ ଉଠାଇ ନେଇଥିଲା। ଏହି ଅବସରରେ ନୱାଜ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଷ୍ଟାଫ୍‌ ସିଲେକ୍ସନ କମିଶନ ଦୁର୍ନୀତିର ଗନ୍ତାଘର। ଏହାର କାନ୍ଥବାଡ଼ରେ ଅଦୃଶ୍ୟଭାବେ ଲେଖା ହୋଇଛି-‘ପଇସା ଦିଅ, ଚାକିରି ନିଅ’। କେବଳ ଜଣେ କିରାଣିଙ୍କୁ ଧରି ସରକାର ମହାଦୁର୍ନୀତିକୁ ଚପାଇଦେବାକୁ ଚାହୁଁଛନ୍ତି। ଷ୍ଟାଫ୍‌ ସିଲେକ୍ସନର ଅଧ୍ୟକ୍ଷଙ୍କ ଠାରୁ ସମସ୍ତ ସଭ୍ୟ ଏଥିରେ ସମ୍ପୃକ୍ତ। ମେଧାବୀ ଛାତ୍ର କଷ୍ଟକରି ପାଠପଢ଼େ, ପରୀକ୍ଷା ଦିଏ, ହେଲେ ପରୀକ୍ଷା ପୂର୍ବରୁ ଚାକିରି ବିକ୍ରି ହୋଇଯାଉଛି। ଏ ଘଟଣାକୁ ଚପାଇବାକୁ ଜଣଙ୍କୁ ଧରାହୋଇଛି। ଅସଲ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଇଛନ୍ତି। ଭିଜିଲାନ୍ସ ତଦନ୍ତ ସରକାରଙ୍କୁ ଘଣ୍ଟ ଘୋଡ଼ାଇବ। ଛାତ୍ର କଂଗ୍ରେସ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରୁଛି ବୋଲି ନଓ୍ବାଜ କହିଛନ୍ତି।

Share