ପ୍ରଚାର ବେଳେ ବିଜେଡି ପ୍ରାର୍ଥୀଙ୍କୁ ପଥରମାଡ଼ ଉଦ୍ୟମ

ବିଶୋଇ,୨୨ା୫ (ଅମିତ ଦାସ):ମୟୂରଭଞ୍ଜ ଜିଲା ସାରସକଣା ବିଧାନସଭା କ୍ଷେତ୍ର ଅଧୀନ ବିଜାତଳା ବ୍ଲକ ଅଞ୍ଚଳରେ ପ୍ରଚାର ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଡା.ଦେବାଶିଷ ମାର୍ଣ୍ଡିଙ୍କ ଉପରକୁ ପଥର ମାଡ଼ ଉଦ୍ୟମ ହୋଇଛି। ଏଥିରେ ଡା. ମାର୍ଣ୍ଡି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ଶିଶୁ ଓ ଅନ୍ୟଜଣେ ଯୁବକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ବିଜାତଳା ବ୍ଲକ ଅଧୀନ ଅସନା ଗ୍ରାମରେ ବିଜେଡି ପ୍ରାର୍ଥୀ ମାର୍ଣ୍ଡି ମାରାଥନ ପ୍ରଚାର କରିଥିଲେ। ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ, ବ୍ଲକ ସଭାପତି ମାଝିଆରାମ ଟୁଡୁ, ବିଶୋଇ ବ୍ଲକ ସଂଯୋଜକ ବିରଞ୍ଚତ୍ ନାରାୟଣ ନନ୍ଦ ପ୍ରମୁଖଙ୍କ ଉପସ୍ଥିତିରେ ଦଳୀୟ କର୍ମୀ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ପଥପ୍ରାନ୍ତ ସଭା କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଦେବାଶିଷଙ୍କୁ ଲକ୍ଷ୍ୟ କରି ପଥର ମାଡ଼ କରିଥିଲେ। ତେବେ ସୌଭାଗ୍ୟବଶତଃ ଏହି ପଥର ମାଡ଼ରୁ ଦେବାଶିଷ ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଉକ୍ତ ଗ୍ରାମର ଜଣେ ଶିଶୁଙ୍କ ମୁଣ୍ଡ ଓ ଅନୃ୍ୟଜଣେ ଯୁବକଙ୍କ କାନମୁଣ୍ଡାରେ ପଥର ମାଡ଼ ହୋଇଥିଲା। ଫଳରେ ଉଭୟ ଗୁରୁତର ହୋଇଥିଲେ। ପରେ ଦେବାଶିଷ ନିଜ ଗାଡ଼ିରେ ଉଭୟଙ୍କୁ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ କିଛି ହୀନ ପ୍ରକୃତି ବ୍ୟକ୍ତି ସହିପାରୁ ନ ଥିବାରୁ ଏପରି ଅଭାବନୀୟ କାଣ୍ଡ ଘଟାଉଛନ୍ତି, ଯାହା ନିନ୍ଦନୀୟ ଏବଂ ଆଗାମୀ ନିର୍ବାଚନରେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ଡା. ମାର୍ଣ୍ଡି କହିଛନ୍ତି।

Share