ପିଲା, ଶିକ୍ଷକଙ୍କ ଉପସ୍ଥାନ ଦୈନିକ ଅପ୍‌ଲୋଡ୍‌ ହେବ

ଭୁବନେଶ୍ୱର, ୨୯।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍‌ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍‌ଲୋଡ୍‌ କରାଯିବ। ପ୍ରତ୍ୟେକ କାର୍ଯ୍ୟ ଦିବସର ଅପରାହ୍ନ ୪ଟା ସୁଦ୍ଧା ଉପସ୍ଥାନ ଅପ୍‌ଡେଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିରେ ଖିଲାପ କଲେ ଏହାକୁ ଗୁରୁତର ସହ ନିଆଯିବ ବୋଲି ନିର୍ଦ୍ଦେଶାଳୟ ଜଣାଇଦେଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇ-ସ୍ପେସ୍‌ ଲଗ୍‌ ଇନ୍‌ କରି ଦୈନିକ ଉପସ୍ଥାନ ଅପ୍‌ଡେଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକାଦଶ ଓ ଦ୍ବାଦଶ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ପାଇଁ ନୂତନ ଉପସ୍ଥାନ ମଡ୍ୟୁଲ ଇ-ସ୍ପେସ୍‌ରେ ଉପଲବ୍ଧ ହୋଇଛି।

Share