ଆକୃଷ୍ଟ କରୁଛି ହେରିଟେଜ୍‌ ହୋମ୍‌ ଷ୍ଟେ’

ଭୁବନେଶ୍ୱର,୨୫।୧୦(ବ୍ୟୁରୋ):  ରାଜ୍ୟରେ ରୟାଲ ହେରିଟେଜ୍‌ ଟୁର୍‌ ପ୍ୟାକେଜ୍‌ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନକୁ ଆଉପାଦେ ଆଗକୁ ନେବାକୁ ପର୍ଯ୍ୟଟନ ବିଭାଗ ‘ହେରିଟେଜ୍‌ ପ୍ୟାଲେସ୍‌ ଟୁରିଜମ୍‌’ ଯୋଜନା ଉପରେ ଗୁରୁତ୍ୱ ଦେଉଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟ ଭଳି ରୟାଲ ଟୁରିଜମ୍‌ ଉପରେ ଏବେ ଓଡ଼ିଶା ଫୋକସ୍‌ କରିଛି। ଫଳରେ ରାଜ୍ୟରେ ଥିବା ଐତିହାସିକ ରାଜପ୍ରାସାଦଗୁଡ଼ିକରେ ରହିବା ସହ ପର୍ଯ୍ୟଟକମାନେ ରାଜକୀୟ ଅନୂଭୂତି ସାଉଁଟି ପାରୁଛନ୍ତି। ପ୍ରଥମେ ଢେଙ୍କାନାଳ ରାଜପ୍ରାସାଦରୁ ଆରମ୍ଭ ହୋଇଥିବା ହେରିଟେଜ୍‌ ହୋମ୍‌ ଷ୍ଟେ’ ବ୍ୟବସ୍ଥା ଏବେ ଓଡ଼ିଶାରେ ବ୍ୟାପକ ହୋଇଛି। ମୟୂରଭଞ୍ଜ ରାଜ ପରିବାରର ବେଲଗଡ଼ିଆ ପ୍ୟାଲେସ୍‌ ଏବେ କେବଳ ରାଜ୍ୟ ମଧ୍ୟରେ ନୁହେଁ, ଦେଶ ବିଦେଶରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଏହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ଏପରିକି କରୋନା ମହାମାରୀ ସମୟରେ ମଧ୍ୟ ଏହି ହେରିଟେଜ୍‌ ପ୍ୟାଲେସ୍‌ ବହୁ ପର୍ଯ୍ୟଟକଙ୍କୁ କୋଭିଡ୍‌ କଟକଣା ସହ ରାଜପ୍ରାସାଦ ରହଣିର ଅବସର ଯୋଗାଇଦେଇଛି।
ଓଡ଼ିଶାରେ ଏବେ ୫୧ଟି ହେରିଟେଜ୍‌ ପ୍ରପର୍ଟି ତଥା ରାଜପ୍ରାସାଦ ରହିଥିବାବେଳେ ସେଥିମଧ୍ୟରୁ ୧୯ଟି ପ୍ରାସାଦକୁ ଆଗାମୀ ଦୁଇବର୍ଷ ମଧ୍ୟରେ ବୁଟିକ୍‌ ହେରିଟେଜ୍‌ ହୋଟେଲ ଏବଂ ହେରିଟେଜ୍‌ ହୋମ୍‌ ଷ୍ଟେ’ ଭାବେ ବିକଶିତ କରିବାକୁ ଯୋଜନା ରହିଛି। ଯୋଜନାର ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ, ଆଳି ଓ ନୀଳଗିରି ରାଜଉଆସକୁ ସାମିଲ କରାଯାଇଛି। ରାଜ୍ୟର ୬ଟି ପ୍ରାସାଦରେ ପର୍ଯ୍ୟଟକ ରହୁଥିବାବେଳେ ଆଉ ୩ଟିକୁ ଖୁବ୍‌ଶୀଘ୍ର ହେରିଟେଜ୍‌ ହୋଟେଲ ଏବଂ ହୋମ୍‌ ଷ୍ଟେ’ରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ତାଳଚେର ରାଜପ୍ରାସାଦ, ଗଜଲକ୍ଷ୍ମୀ ରାଜପ୍ରାସାଦ, କଳାହାଣ୍ଡି ରାଜପ୍ରାସାଦ, ଡାଳିଯୋଡ଼ା ରାଜପ୍ରାସାଦକୁ ହେରିଟେଜ୍‌ ହୋମ୍‌ ଷ୍ଟେ ଦୌଡ଼ରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ବଳକା ୧୦ଟି ପ୍ରାସାଦକୁ ୨୦୨୧ ସୁଦ୍ଧା ହୋଟେଲ ରୂପ ଦିଆଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଢେଙ୍କାନାଳ ପ୍ୟାଲେସରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ରାଜ ପରିବାର ପକ୍ଷରୁ ବ୍ୟାଡ୍‌ମିଣ୍ଟନ କୋର୍ଟ, ବାସ୍କେଟବଲ୍‌ କୋର୍ଟ, ଟେବୁଲ୍‌ ଟେନିସ୍‌ ଆଦିର ବ୍ୟବସ୍ଥା କରାଯାଇଥିବାବେଳେ ଆଳି ରାଜପ୍ରାସାଦରେ ପର୍ଯ୍ୟଟକଙ୍କ ପାଇଁ ଗୋଟିପୁଅ, ଓଡ଼ିଶୀ, ଦାସକାଠିଆ, ବାଦୀପାଲା, ଆଦିର ବ୍ୟବସ୍ଥା ହେଉଛି। ସେହିଭଳି ଅଷ୍ଟାଦଶ ଶତାବ୍ଦୀର ବେଲଗଡ଼ିଆ ରାଜପ୍ରାସାଦ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲିଟିଛି। ଏହି ବୁଟିକ୍‌ ହୋମ୍‌ ଷ୍ଟେ କୋଭିଡ୍‌ ପରବର୍ତ୍ତୀ ଅନ୍‌ଲକ୍‌ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ଗ୍ରୀକ୍‌ ଏବଂ ଭିକ୍ଟୋରିଆନ୍‌ ଆର୍କିଟେକ୍‌ଚରର ମିଶ୍ରିତ ନିର୍ମାଣଶୈଳୀ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟୁଛି। କେବଳ ଏତିକି ନୁହେଁ, ପର୍ଯ୍ୟଟକମାନେ ଏଠାରେ ମୟୂରଭଞ୍ଜ ଛଉନୃତ୍ୟର ମଜା ନେବାସହ ସ୍ଥାନୀୟ ଲୋକକଳା ଓ ଲୋକସଂସ୍କୃତି ସମ୍ପର୍କରେ ଅନେକ କିଛି ଜାଣିବାର ଅବସର ପାଉଛନ୍ତି। ସେହିଭଳି ସ୍ଥାନୀୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ସ୍ବତନ୍ତ୍ର ବ୍ରାଣ୍ଡ୍‌ ମାଧ୍ୟମରେ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇଛି ଏହି ପ୍ୟାଲେସ୍‌। ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷିବା ଦ୍ୱାରା ଖାଣ୍ଟି ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର କରାଯାଇପାରୁଛି। ସବୁଠାରୁ ବଡ଼କଥା ହେଲା ସଷ୍ଟେନେବୁଲ୍‌ ଟୁରିଜମ୍‌ ବା ନିରନ୍ତର ପର୍ଯ୍ୟଟନ ଉପରେ ଏହି ହେରିଟେଜ୍‌ ହୋମ୍‌ ଷ୍ଟେ ଗୁରୁତ୍ୱ ଦେଉଛି। ଫଳରେ ସ୍ଥାନୀୟ ଲୋକେ ଏଠାକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇପାରୁଛନ୍ତି। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଏକାଧିକ ସ୍ଥାନୀୟ ମହିଳା ଏଠାରେ ରୋଜଗାରର ସୁଯୋଗ ପାଇପାରିଛନ୍ତି। ଅନ୍ୟପକ୍ଷରେ ରାଜପ୍ରାସାଦଗୁଡ଼ିକୁ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଖୋଲାଯିବା ଦ୍ୱାରା ସାଧାରଣ ଲୋକେ ରାଜଉଆସ ରହଣିର ମଜା ନେଇପାରୁଛନ୍ତି। ସେହିଭଳି ପର୍ଯ୍ୟଟକମାନେ ଘୋଡ଼ାଶାଳ, ପୁରାତନ କୋଠା, ରାଜବାଟୀ, ରାଣୀମହଲ, ନୃତ୍ୟଶାଳା ଆଦି ଦେଖିବାର ଅବସର ପାଇପାରୁଛନ୍ତି।

Share