ଅଟ୍ରୀ ଉଷ୍ଣ ପ୍ରସ୍ରବଣ ବିକାଶ ପାଇଁ ନକ୍ସା ପ୍ରସ୍ତୁତ

ବାଘମାରୀ,୧୪।୮(ଶୁଭକାନ୍ତ ମହାପାତ୍ର): ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ଅନତୀ ଦୂରରେ ରହିଛି ବାବା ହଟକେଶ୍ୱରଙ୍କ ପୀଠ। ଏଠାରେ ଥିବା ଅଟ୍ରୀ ଉଷ୍ଣ ପ୍ରସ୍ରବଣ ଅବହେଳିତ ଅବସ୍ଥାରେ ରହିଛି। ତେବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପ୍ରତିଶ୍ରୁତି ମୁତାବକ ଏହାର ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଏହି ଉଷ୍ଣ ପ୍ରସ୍ରବଣର ବିକାଶ ପାଇଁ ବିଧାୟକ, ସ୍ଥାନୀୟ ସରପଞ୍ଚ, ଗ୍ରାମ୍ୟ କମିଟିଙ୍କ ଉପସ୍ଥିତିରେ ପର୍ଯ୍ୟଟନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଏକ ପ୍ରତିନିଧି ମଣ୍ଡଳୀ ନକ୍ସା ପ୍ରସ୍ତୁତ କରିଛନ୍ତି। ଏହି ନକ୍ସାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପ୍ରେରଣ କରାଯିବ।
ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ। ହଟକେଶ୍ୱରଙ୍କ ଦର୍ଶନ ସହ ଉଷ୍ଣ ପ୍ରସ୍ରବଣରେ ସ୍ନାନ କଲେ ଚର୍ମ ରୋଗ ଭଲ ହେବା ସହିତ ଓ କୁଆକୁଣ୍ଡର ପାଣି ସେବନ କଲେ ପେଟ ରୋଗ ଭଲ ହୋଇଥାଏ। ମକର ସଂକ୍ରାନ୍ତିରେ ମାନସିକ କୁଣ୍ଡରେ ଅପୁତ୍ରକ ନାରୀମାନେ ଗୁଆ ପ୍ରାପ୍ତି କଲେ ବର୍ଷକ ଭିତରେ ସନ୍ତାନ ପ୍ରାପ୍ତି ହୁଏ ବୋଲି ଲୋକବିଶ୍ୱାସ ରହିଛି। ଅନ୍ୟପଟେ ବର୍ଷାଦିନେ ବନ୍ୟା ସମୟରେ ନିମଗ୍ନ ହୁଏ ଏହି ସ୍ଥଳୀ। ଏହାକୁ ବନ୍ୟା ନିରୋଧକ କରିବା, କୁଆକୁଣ୍ଡର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ, ନୂତନ ପାନ୍ଥଶାଳା ନିର୍ମାଣ ଓ ବୋଟିଂ କମ୍ପ୍ଲେକ୍ସ ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଛି। ସେହିପରି ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ରାଜ୍ୟ ସରକାର ସ୍ଥାନୀୟ ବିଧାୟକଙ୍କ ସୁପାରକ୍ରମେ ଅଟ୍ରି-ଜକରା ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛନ୍ତି। ତେବେ ଏହି ରାସ୍ତାର ପ୍ରଶସ୍ତୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ତ୍ତ ବିଭାଗ ଦ୍ୱାରା ଟେଣ୍ଡର ଆହୂତ ହୋଇସାରିଛି। ଏହି ରାସ୍ତାର ପ୍ରଶସ୍ତୀକରଣ ପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି ସ୍ଥାନୀୟ ବିଧାୟକ ସାହୁ। ରାଜ୍ୟ ସଭା ସଦସ୍ୟ ଡ.ଶସ୍ମିତ୍‌ ପାତ୍ରବାଘମାରୀକୁ ପୋଷ୍ୟ ଗ୍ରାମଭାବେ ଗ୍ରହଣ କରିଛନ୍ତି। ବାଘମାରୀ ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ ପାଇଁ ସଂସଦରେ ପାତ୍ର ଉପସ୍ଥାପନ କରିବା ସହିତ ରେଳମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଅଞ୍ଚଳବାସୀଙ୍କ ଦାବି ନ୍ୟାଯ୍ୟ ଯୋଗୁ ସରକାର ମଞ୍ଜୁର କରିଛନ୍ତି। ପ୍ରକାଶ ଯେ, ଆସନ୍ତା ୨୨ ତାରିଖରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବେଗୁନିଆ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିବା ସହିତ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି।
Share