କୋଭିଡ୍‌ ହସ୍ପିଟାଲ ଅବ୍ୟବସ୍ଥାକୁ ନେଇ ଅଡିଓ ଭାଇରାଲ ଘଟଣା: ୨ ଗିରଫ, ୩ ଦିନିଆ ରିମାଣ୍ଡରେ ଆସିବେ

ଭୁବନେଶ୍ୱର,୧୧।୮(ବ୍ୟୁରୋ):  କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଏକ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବାଦବିବାଦ ସୃଷ୍ଟି ହେବାପରେ କ୍ୟାପିଟାଲ ଥାନା ପୋଲିସ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ପଳାଶୁଣି ନିଉ କଲୋନୀର ବିଶ୍ୱଜିତ ମହାନ୍ତି ଓ ରସୁଲଗଡ଼ରେ ରହୁଥିବା ଲକ୍ଷ୍ମୀକାନ୍ତ ବେହେରା। ପୋଲିସ କେସ୍‌ ନଂ. ୩୦୩/୨୦ ରୁଜୁ କରି ଦଫା ୨୬୯, ୨୭୦, ୫୦୫, ୧୨୦(ବି) ଲଗାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହା ପୂର୍ବରୁ ଉଭୟଙ୍କର କ୍ୟାପିଟାଲ ହସ୍ପିଟାଲରେ କୋଭିଡ଼ ଟେଷ୍ଟ କରାଯାଇଥିଲା। ଏଥିସହ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଥିଲା। ଏସ୍‌ଡିଜେଏମ୍‌ କୋର୍ଟ ଅଭିଯୁକ୍ତଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ଉଭୟ ବିଚାରବିଭାଗୀୟ ହାଜତରେ ରହିବେ। ବୁଧବାର ପୋଲିସ ସେମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ସୂଚନା ମିଳିଛି।
ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ ହେଉଛନ୍ତି ଦୁଇ ବନ୍ଧୁ। ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୭ରୁ ଭୁବନେଶ୍ୱରର ଏକ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥହୋଇ ଫେରିବା ପରେ ବିଶ୍ୱଜିତଙ୍କୁ ଫୋନ୍‌ରେ କୋଭିଡ଼ ହସ୍ପିଟାଲରେ କରାଯାଉଥିବା ଚିକିତ୍ସାକୁ ନେଇ ରହିଥିବା ଅନୁଭୂତି କହିଥିଲେ। ବିଶ୍ୱଜିତ ଉକ୍ତ ବାର୍ତ୍ତାଳାପ ଅଡିଓକୁ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ପାଖକୁ ଶେୟାର କରିଦେଇଥିଲେ, ଯାହା ପରବର୍ତ୍ତୀ ସମୟରେ ଭାଇରାଲ୍‌ ହୋଇଥିଲା। ଏଥିଯୋଗୁ ମହାମାରୀ ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆଣି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା।
ବିଶ୍ୱଜିତ୍‌ କହିଛନ୍ତି, କରୋନାକୁ ନେଇ ତାଙ୍କ ସାଙ୍ଗମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ତେଣୁ ଏହି ଭୟ ଦୂର ପାଇଁ ଲକ୍ଷ୍ମୀକାନ୍ତଙ୍କ ଅନୁଭୂତିକୁ ୨୦ରୁ ୨୫ଜଣଙ୍କ ସାଙ୍ଗଙ୍କ ପାଖକୁ ପଠାଇଥିଲି। ଲକ୍ଷ୍ମୀକାନ୍ତ କହିଛନ୍ତି, ମୁଁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମୋର ଅନୁଭୂତିକୁ ସାଙ୍ଗ ବିଶ୍ୱଜିତ୍‌ଙ୍କୁ କହିଥିଲି। ତାହା ଏପରି ଭାଇରାଲ ହେବ ବୋଲି ଜାଣି ନ ଥିଲି।

Share