ଅଭିଯୁକ୍ତଙ୍କ ସହ ଭିଜିଲାନ୍ସ ବିଭାଗ ମହିଳା କର୍ମଚାରୀଙ୍କ ଅଡିଓ ଭାଇରାଲ

କେନ୍ଦୁଝର,୨୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପବ୍ଲିକ ପ୍ରୋସିକ୍ୟୁଟର କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଜଣେ ଅଭିଯୁକ୍ତଙ୍କ କେସ୍‌କୁ କୋହଳ କରିବା ପାଇଁ ତଥ୍ୟ ଯୋଗାଇବା ଏବଂ ସେ ବାବଦକୁ ଲାଞ୍ଚ ମାଗିବା କଥାବାର୍ତ୍ତାର ଏକ ଅଡିଓ ଭାଇରାଲ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଲାଞ୍ଚ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥିବା ଭିଜିଲାନ୍ସ ବିଭାଗ ଏହି ଘଟଣା ପରେ କାମ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି  ଅଡିଓ ଚାରିଆଡ଼େ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏହି ଅଡିଓ କେବେ ରେକର୍ଡ ହୋଇଛି, ଅଭିଯୁକ୍ତ କିଏ ଏବଂ କିପରି ଅଡିଓ ଭାଇରାଲ ହେଲା ସେ ନେଇ ସଠିକ ଜଣାପଡ଼ି ନ ଥିଲେ ହେଁ ମହିଳା କନଷ୍ଟେବଳ କିଏ ଜଣାପଡ଼ିଛି। ତେବେ ଏହାର ସଠିକ ତଦନ୍ତ ହେଲେ ସବୁ କିଛି ଜଣାପଡ଼ିବ ବୋଲି ମତପ୍ରକାଶ ପାଇଛି।

ଏ ନେଇ କେନ୍ଦୁଝର ଭିଜିଲାନ୍ସ ଏସ୍‌ପି ନରହରି ନାଏକ କହିଛନ୍ତି, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଅଡିଓ କ୍ଲିପ୍‌ ପାଇବା ପରେ ଘଟଣା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିଜିଲାନ୍ସ କୋର୍ଟର ପିପି ଦେବଦତ୍ତ ବିଶ୍ୱାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ସେ ଅବଗତ ନୁହନ୍ତି। ଯଦି କେହି ତାଙ୍କ ନାମ ଧରିଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣା ପରେ ଭିଜିଲାନ୍ସ ବିଭାଗର କେତେକ ତଳିଆ କର୍ମଚାରୀ ଦୀର୍ଘ ବର୍ଷ ଧରି ବିଭାଗରେ ରହି ବିଭିନ୍ନ ଲାଇନ୍‌ ବିଭାଗରୁ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏଭଳି ଘଟଣା ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।