୯ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଉ

କେସିଙ୍ଗା,୯ା୮(ତୁମେଶ୍ୱର ସାହୁ): କାଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ଧ ସମାଜ ପକ୍ଷରୁ ସଭାପତି ଶେଷଦେବ ମାଝିଙ୍କ ଆବାହକତ୍ୱରେ ବୋରିଙ୍ଗ ପଦରଠାରେ ଶୁକ୍ରବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କର୍ମକର୍ତ୍ତାମାନେ ଦର୍ଶାଇଥିଲେ, ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ୧୯୫୦ ଅନୁଯାୟୀ ଓଡିଶାରେ ଅନୁସୂଚିତ ଜନଜାତି ୬୨ ପ୍ରକାର ତାଲିକା ଭୁକ୍ତ ହୋଇଛନ୍ତି। ତନମଧ୍ୟରୁ କେସିଙ୍ଗା ବ୍ଲକର ୨୬ ପଞ୍ଚାୟତ. ଓ ଗୋଟିଏ ଏନ୍‌ଏସିରେ ୧୦ଗୋଟି ଅନୁସୂଚିତ ଜନଜାତି ପରିବାରର ହାରାହାରି ୭୦ ପ୍ରତିଶତ ଅନୁସୂଚିତ ଜନଜାତି ଲୋକ ବସବାସ କରୁଛନ୍ତି।

ମିଳିତ ଜାତିସଂଘ ଘୋଷଣା ଅନୁସାରେ ସାରା ବିଶ୍ବରେ ଆଦିବାସୀ ଦିବସ ପାଳନ ହେଉଛି। ଏହି ସାମ୍ବିଧାନିକ ଅଧିକାରକୁ ବଜାୟ ରଖିବା ପାଇଁ କେସିଙ୍ଗା ବ୍ଲକର କନ୍ଧ ସମାଜ ଓ ଆଦିବାସୀ ସଂଘ ପ୍ରତିବର୍ଷ ଅଗଷ୍ଟ ୯କୁ ‘ବିଶ୍ବ ଆଦିବାସୀ ଦିବସ’ ଭାବେ ପାଳନ କରି ଆସୁଛନ୍ତି। ଏହି ଦିନକୁ ସରକାରୀ ଛୁଟି ଘୋଷଣା କଲେ ସମସ୍ତ ବର୍ଗର ଅନୁସୂଚିତ ଜନଜାତି ସାମିଲ ହୋଇ ପୂର୍ବପୁରୁଷଙ୍କୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ବିଡିଓଙ୍କୁ କର୍ମକର୍ତ୍ତା ଦାବି ପତ୍ର ପ୍ରଦାନ କରିଥିଲେ।

Share