Categories: ଜାତୀୟ

ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି

ନୂଆଦିଲ୍ଲୀ,୧୨ା୯(ପିଟି): ବହୁଚର୍ଚ୍ଚିତ ଅଗଷ୍ଟା ସ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ହୋଇଥିବା ୩,୬୦୦ କୋଟି ଟଙ୍କା ଦ୍ୱୁର୍ନୀତି ଘଟଣାରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶିକାନ୍ତ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇ ଅନୁମତି ଲୋଡ଼ିଛି। ଏହି ଦୁର୍ନୀତି ମାମଲାରେ ମଧ୍ୟସ୍ଥ ସାଜିଥିବା ଖ୍ରୀଷ୍ଟିୟାନ ମିଚେଲଙ୍କ ବିରୋଧରେ ସିବିଆଇ ଅତିରିକ୍ତ ଚାର୍ଜଶିଟ ଦାଖଲ କରିବାକୁ ଯାଉଛି। ମିଚେଲ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏହି ଅତିରିକ୍ତ ଚାର୍ଜଶିଟ୍‌ରେ ସିବିଆଇ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ଯେଉଁମାନେ ସବୁ ନିଷ୍ପତ୍ତି ନେଉଥିଲେ, ସେମାନଙ୍କ ବିରୋଧରେ ଚାର୍ଜଶିଟରେ ଉଲ୍ଲେଖ ରହିଛି। ତଦନ୍ତ ସମୟରେ ଯେଉଁ ଅଧିକାରୀଙ୍କ ଭୂମିକା ସମ୍ପର୍କରେ ଜଣାପଡ଼ିଛି ସେମାନଙ୍କ ବିରୋଧରେ ମାମଲା ଆରମ୍ଭ ହେବ। ଏଥିପାଇଁ ସିବିଆଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି ଲୋଡ଼ିଛି। ବିଶେଷ କରି ଶଶିକାନ୍ତ ଶର୍ମା ଏବଂ ଏୟାର ଭାଇସ ମାର୍ଶାଲ ଯସ୍‌ବୀର ସିଂ ପାନେସରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମିଳିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଶର୍ମା ପ୍ରତିରକ୍ଷା ସଚିବ ଥିଲେ। ପରେ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦିଆଯାଇଥିଲା। ସିବିଆଇ ମଧ୍ୟ ୩ଜଣ ପୂର୍ବତନ ବାୟୁସେନା ଅଧିକାରୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିବାକୁ ଅନୁମତି ଲୋଡ଼ିଛି। ସେମାନେ ହେଲେ ଡେପୁଟି ଚିଫ୍‌ ଟେଷ୍ଟ ପାଇଲଟ ଏସ୍‌.ଏ. କୁଣ୍ଟେ, ୱିଙ୍ଗ କମାଣ୍ଡର ଥୋମାସ୍‌ ମାଥ୍ୟୁ ଏବଂ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏନ୍‌. ସନ୍ତୋଷ।

Share