ଶୋଚନୀୟ ଅବସ୍ଥାରେ ଆଳି ତହସିଲ ରାସ୍ତା

ଆଳି,୪ା୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ବିଭାଗୀୟ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଅନେକ ରାସ୍ତା ଶୋଚନୀୟ ହୋଇପଡୁଥିଲେ ମଧ୍ୟ ତାହାର ମରାମତି କରାଯାଉନାହିଁ। ସେହି ରାସ୍ତାରେ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି ନଜର ଦେଉନାହାନ୍ତି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଆଳି ତହସିଲ ରାସ୍ତା।
କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ଦୁର୍ଗାମଣ୍ଡପ ଛକରୁ ବାମପଟକୁ ଯାଇଛି ଏହି ରାସ୍ତା। ଏହି ରାସ୍ତାଟି ଆଳି ରାଜବାଟୀ ପର୍ଯ୍ୟନ୍ତ ରହିଛି। ଏହି ରାସ୍ତାରେ ଆଳି ତହସିଲ, କୋର୍ଟ ଆଦି କାର୍ଯ୍ୟାଳୟ ଥିବାରୁ ଦୈନିକ ଶତାଧିକ ଲୋକ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି। ଏପରି କି ଏହି ରାସ୍ତାଟି ସଦର ଦେମାଳ ପଞ୍ଚାୟତର ମୁଖ୍ୟରାସ୍ତା। ପଞ୍ଚାୟତର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଅପରପକ୍ଷରେ ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଯେ, ଏହି ରାସ୍ତାଟି ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉ ମନ୍ଦିର ଓ ଆଳି ରାଜବାଟୀକୁ ମଧ୍ୟ ଯାଇଛି। ମନ୍ଦିର ଓ ରାଜବାଟୀ କାରୁକାର୍ଯ୍ୟ ଦେଖିବା ନିମନ୍ତେ ଦୈନିକ ଶତାଧିକ ଲୋକ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। କିନ୍ତୁ ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଏହି ରାସ୍ତାକଡ଼ରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଗ୍ରାହକମାନେ ମଧ୍ୟ ପାଣିରେ ପଶି ଯାଉଛନ୍ତି। ଦୀର୍ଘଦିନ ହେବ ରାସ୍ତା ଅବସ୍ଥାରେ ସୁଧାର ଆସୁ ନ ଥିବାରୁ ଏହାର ମରାମତି ନିମନ୍ତେ ବିଭାଗୀୟ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।