Categories: ଜାତୀୟ

ଔରଙ୍ଗାବାଦରେ ବଣ୍ଟାଗଲା ଶସ୍ତା ପେଟ୍ରୋଲ: ଲିଟର ପିଛା ୫୪ଟଙ୍କା

ଔରଙ୍ଗାବାଦ,୧୫।୬: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କ ମଙ୍ଗଳବାର ଜନ୍ମଦିନ ପାଳନ କରାଯାଇଛି। ଏହି ସମୟରେ ଦଳର ନେତାମାନେ ରାଜ ଠାକରେଙ୍କ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ଏହିକ୍ରମରେ ଜନ୍ମଦିନର ବିଶେଷ ଅବସରରେ ଔରଙ୍ଗାବାଦ ଜିଲାରେ ସାଧାରଣ ଜନତାଙ୍କୁ ଏମ୍‌ଏନ୍‌ଏସ୍‌ ପକ୍ଷରୁ ଏକ ଲିଟର ପ୍ରତି ୫୪ଟଙ୍କାରେ ପେଟ୍ରୋଲ ଶସ୍ତାରେ ଦିଆଯାଇଛି। ଆଉ ଯେଉଁ ବଳକା ରାଶି ରହିଲା ତା’କୁ ଏମ୍‌ଏନ୍‌ଏସ୍‌ ପକ୍ଷରୁ ସ୍ଥାନୀୟ ପମ୍ପ ମାଲିକଙ୍କୁ ଭୋଗତାନ କରାଯାଇଛି। ଅନ୍ୟପଟେ ସହରରେ ଶସ୍ତା ପେଟ୍ରୋଲ ମିଳୁଥିବା ଖବର ମିଳିବା ପରେ ଦେଖୁ ଦେଖୁ କ୍ରାନ୍ତି ଛକ ପେଟ୍ରୋଲ ପମ୍ପ ନିକଟରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଯାଇଥିଲା। ତେବେ ଦଳ ପକ୍ଷରୁ କେବଳ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପେଟ୍ରୋଲ ଯୋଗାଇଦିଆଯାଇଥିଲା। ଭିଡ଼ ନ ହେବା ପାଇଁ ନାଗରିକମାନଙ୍କୁ କୁପନ ହସ୍ତାନ୍ତର କରାଯାଇଥିଲା। ତେବେ ୧ହଜାରରୁ ଊର୍ଦ୍ଧ୍ୱ ଲୋକ ଏହାର ସୁବିଧା ଉଠାଇଛନ୍ତି ବୋଲି ଏମ୍‌ଏନ୍‌ଏସ୍‌ ଔରଙ୍ଗାବାଦର ଅଧ୍ୟକ୍ଷ ସୁମିତ ଖମ୍ବେକର କହିଛନ୍ତି। ତେବେ ଲିଟର ପିଛା ୫୪ ଟଙ୍କା ପେଟ୍ରୋଲ ଦେବାର ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମ ଦଳର ମୁଖ୍ୟଙ୍କ ଜନ୍ମଦିନ ଅବସରରେ ଔରଙ୍ଗାବାଦର ବାସିନ୍ଦାଙ୍କୁ ଏକ ଛୋଟ ଉପହାର ଦେବା ଏବଂ ଦ୍ୱିତୀୟଟି ହେଉଛି ଇନ୍ଧନର ମୂଲ୍ୟ ଆକାଶଛୁଆଁ ହେବା ପ୍ରସଙ୍ଗକୁ ସାମ୍ନାକୁ ଆଣିବା। ଯଦିଓ କେନ୍ଦ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିଛି, ତଥାପି ରାଜ୍ୟ ସରକାର ଏହାକୁ ଅନୁସରଣ କରିନାହାନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

Share