Categories: ଖେଳ

ସେମିରେ ଅଷ୍ଟ୍ରେଲିଆ, ବେଲ୍‌ଜିୟମ

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଗତ ସଂସ୍କରଣର ଟାଇଟଲ ବିଜେତା ବେଲଜିୟମ ଚଳିତ ହକି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନ୍‌କୁୁ ହରାଇଥିବାବେଳେ ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଫଳରେ ସ୍ପେନ୍‌ ଓ ନ୍ୟୁଜିଲାଣ୍ଡର ଅଭିଯାନ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ଶେଷ ହୋଇଛି। ବେଲଜିୟମ-ନ୍ୟୁଜିଲାଣ୍ଡ ମ୍ୟାଚ ଆରମ୍ଭରେ ପୁରୀ ଗଜପତି ଦିବ୍ୟସିଂହ ଦେବ ଅତିଥିଭାବେ ଯୋଗଦେଇ ଦୁଇ ଦଳର ଅଧିନାୟକଙ୍କ ସହ ପରିଚିତ ହୋଇଥିଲେ।
କ୍ରସ୍‌ ଓଭରରେ ଉତ୍ସାହୀ ପ୍ରଦର୍ଶନ କରି ଶୁଟ୍‌ଆଉଟ/ସଡନ୍‌ଡେଥ୍‌ରେ ଭାରତକୁ ପରାସ୍ତ କରିଥିବା ନ୍ୟୁଜିଲାଣ୍ଡ କ୍ୱାର୍ଟର ଫାଇନାଲରେ ବେଲଜିୟମ ବିପକ୍ଷରେ କିନ୍ତୁ ସେହି ପ୍ରଦର୍ଶନ ଦୋହରାଇ ପାରି ନ ଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବେଲଜିୟମ ପ୍ରାଧାନ୍ୟ ବିସ୍ତାର କରି ଖେଳିିଥିଲା। ୧୦ମ ମିନିଟରେ ମିଳିିଥିବା ପ୍ରଥମ ପେନାଲ୍ଟି କର୍ନରକୁ ଗୋଲ ପରିଣତ କରି ବେଲଜିୟମକୁ ଅଗ୍ରଣୀ କରିଥିଲେ ଟମ୍‌ ବୁନ୍‌। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ମୋମେଣ୍ଟମ ବଜାୟ ରଖିଥିଲା ଗତଥରର ଚାମ୍ପିୟନ ଦଳ। ୧୬ତମ ମିନିଟରେ ସିମନ ଗୁଗନାର୍ଡଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ବେଲଜିୟମର ଅଗ୍ରଣୀ ୍ଯଯବଧାନକୁ ୨-୦ରେ ପହଞ୍ଚାଇଥିଲେ ଫ୍ଲୋରେଣ୍ଟ ଭାନ୍‌ ଅଉବେଲ। ୨୪ତମ ମିନିଟରେ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବାକୁ ବେଲଜିୟମ ନିକଟରେ ସୁଯୋଗ ଥିଲା। ମାତ୍ର ପେନାଲ୍ଟି କର୍ନରରୁ ଗୋଲ ହୋଇପାରି ନ ଥିଲା। ୨୮ତମ ମିନିଟରେ ପ୍ରଥମ ପେନାଲ୍ଟି କର୍ନର ପାଇଥିଲା ନ୍ୟୁଜିଲାଣ୍ଡ। ମାତ୍ର ବେଲଜିୟମର ରକ୍ଷଣଭାଗକୁ ଭେଦ କରିବାରେ ଅସମର୍ଥ ରହିଥିଲା। ୪୬ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଫଳ ସମାନ ରହିଥିଲା। ଶେଷ ୬ ମିନିଟ ଗୋଲକିପର ହଟାଇ ଖେଳିଥିଲା ନ୍ୟୁଜିଲାଣ୍ଡ। ଅର୍ଥାତ୍‌ ୧୧ ଜଣ ଖେଳାଳିିଙ୍କୁ ନେଇ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରିଥିଲା। ଏହି ସମୟ ମଧ୍ୟରେ ବେଲଜିୟମ ରଣନୀତି ବଦଳାଇ ରକ୍ଷଣଭାଗକୁୁ ଗୁରୁତ୍ୱ ଦେଇଥିଲା। ଖେଳାଳିମାନେ ଅଧିକାଂଶ ସମୟ ଏରିିଏଲ୍‌ ପାସ୍‌ ଦେଇ ସମୟ ଅତିକ୍ରମ କରିଥିଲେ। ୫୯ତମ ମିନିଟରେ ନ୍ୟୁଜିଲାଣ୍ଡ ଏକ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ବେଲଜିୟମ ରକ୍ଷଣଭାଗ ପ୍ରାଚୀର ସଦୃଶ ଏହାକୁ ପ୍ରତିରୋଧ କରିଥିଲେ। ବେଲଜିୟମ ଅଧିନାୟକ ଫେଲିକ୍ସ ଡୋନେର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଇଂଲଣ୍ଡ-ଜର୍ମାନୀ କ୍ୱାର୍ଟର ଫାଇନାଲର ବିଜେତାକୁ ଅଷ୍ଟ୍ରେଲିଆ ସେମିଫାଇନାଲରେ ଭେଟିବ। ସେହିପରି ନେଦରଲାଣ୍ଡ୍ସ-ଦକ୍ଷିଣ କୋରିଆ କ୍ୱାର୍ଟର ଫାଇନାଲର ବିଜେତା ସହ ବେଲଜିୟମର ମୁକାବିଲା ହେବ। ୨ଟି ଯାକ ସେମିଫାଇନାଲ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Share