କ୍ୱାର୍ଟରରେ ପହଞ୍ଚିଲା ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୭ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପରେ ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଯାଇଥିବା ବେଳେ ଘରୋଇ ଅଷ୍ଟ୍ରେଲିଆ ୨-୦ ଗୋଲରେ ଡେନମାର୍କକୁ ପରାସ୍ତ କରିଛି।
ନାଇଜେରିଆ ବିପକ୍ଷ ମ୍ୟାଚ୍‌ ଇଂଲଣ୍ଡ ପାଇଁ ସହଜ ହେବା ଭଳି ମନେ ହେଉଥିଲା। ତେବେ ପ୍ରଥମ ଥର ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିବା ନାଇଜେରିଆ ଇଂଲଣ୍ଡକୁ ସହଜରେ ଛାଡି ନ ଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ଟି ଗୋଲଶୂନ୍ୟ ରହିଥିଲା। ୮୭ ତମ ମିନିଟରେ ଇଂଲଣ୍ଡର ଲରେନ୍‌ ବେଲ୍‌ଙ୍କୁ ରେଡ୍‌ କାର୍ଡ ମିଳିଥିଲା । ପ୍ରତିପକ୍ଷ ଖେଳାଳି ମିଚେଲ୍‌ ଆଲୋଜିଙ୍କୁ ଧକା ମାରିବା କାରଣରୁ ବେଲ୍‌ଙ୍କୁ ପ୍ରଥମେ ୟେଲୋ କାର୍ଡ ମିଳିଥିଲା। ମାତ୍ର ପରେ ରେଫରୀ ଏହାକୁ ସ୍ଲୋ ମୋସନରେ ଟିଭି ସ୍କ୍ରିନରେ ଦେଖିବା ପରେ ୟେଲୋ କାର୍ଡ କ୍ୟାନସଲ କରି ରେଡ୍‌ କାର୍ଡ ପ୍ରଦାନ କରିଥିଲେ। ଫଳରେ ମ୍ୟାଚ୍‌ର ଅନ୍ତିମ ୩୩ ମିନିଟ ଇଂଲଣ୍ଡ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା।
ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଗୋଲ ଦେବାରେ ଅସମର୍ଥ ରହିଥିଲେ। ମ୍ୟାଚ୍‌ ପେନାଲ୍ଟି ଶୁଟଆଉଟକୁ ଯାଇଥିବା ବେଳେ ଇଂଲଣ୍ଡ ଗୋଲ କିପର ମେରୀ ଅର୍ପସ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜର୍ଜିଆ ଷ୍ଟାନଓ୍ବେ ପ୍ରଥମ ଶଟ୍‌ ମାରିଥିବା ବେଳେ ଏହାକୁ ରୋକି ଦେଇଥିଲେ ନାଇଜେରିଆ ଗୋଲି। ବେଥାନି ଇଂଲଣ୍ଡ, ରାଚେଲ୍‌ ଡାଲି, ଆଲେକ୍ସ ଗ୍ରୀନ୍‌ଉଡ୍‌ ଓ କ୍ଲୋଏ କେଲି ଇଂଲଣ୍ଡ ପକ୍ଷରୁ ପରବର୍ତ୍ତୀ ୪ ଶଟ୍‌କୁ ଗୋଲରେ ପରିଣତ କରିଥିଲେ। ନାଇଜେରିଆ ପକ୍ଷରୁ ଡିଜାୟାର ଅପେରୋନୋଜି, ମିଚେଲ୍‌ ଆଲୋଜି ପ୍ରଥମ ଦୁଇ ଶଟ୍‌ କ୍ଲିୟର କରିବାରେ ବିଫଳ ହୋଇଥିଲେ। ପରବର୍ତ୍ତୀ ଦୁଇ ଶଟ୍‌ ରାଶିଡାଟ ଆବିଜାଦେ, କ୍ରିଷ୍ଟି ଉକେଇବେ  ସ୍କୋର କରିଥିବା ବେଳେ ପଞ୍ଚମ ଶଟ୍‌ ମାରିବାର ସୁଯୋଗ ମିଳି ନ ଥିଲା। ଡେନମାର୍କକୁ ୨-୦ ଗୋଲରେ ପରାସ୍ତ କରି ଆୟୋଜକ ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।