Categories: ଖେଳ

ଡବ୍ଲ୍ୟୁଟିସି ଫାଇନାଲରେ ଅଷ୍ଟ୍ରେଲିଆ

ଇନ୍ଦୋର, ୪।୩ (ପି.ଟି.): ଭାରତ-ଅଷ୍ଟ୍ରେଲିଆ ତୃତୀୟ କ୍ରିକେଟ ଟେଷ୍ଟ ୨ ଦିନ ଏବଂ ୧୮.୫ ଓଭର ଖେଳରେ ଶେଷ ହୋଇଛି। ସ୍ପିନରଙ୍କ ପ୍ରାଧାନ୍ୟ ବିଶିଷ୍ଟ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୯ ଉଇକେଟରେ ଭାରତକୁ ପରାସ୍ତ କରିଛି। ବିଜୟ ପାଇଁ ୭୬ ରନ ଆବଶ୍ୟକ କରୁଥିବା ଅଷ୍ଟ୍ରେଲିଆ ଶୁକ୍ରବାର ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ମାତ୍ର ୧ ଉଇକେଟ ହରାଇ ୭୮ ରନ ସଂଗ୍ରହ କରି ନେଇଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସର ପ୍ରଥମ ଓଭରରେ ଉସମାନ ଖ୍ବାଜା (୦)ଙ୍କୁ ଆଉଟ କରି ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ସାମାନ୍ୟ ଆଶା ସଞ୍ଚାର କରିଥିଲେ। ମାତ୍ର ଟ୍ରାଭିସ ହେଡ୍‌ ୪୯ ଓ ମାର୍ନସ ଲାବୁସେନ ୨୮ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଅସମାପ୍ତ ଦ୍ୱିତୀୟ ଉଇକେଟରେ ଦୁହେଁ ୭୮ ରନ ଯୋଗ କରିଥିଲେ। ଅଷ୍ଟ୍ରେଲିଆ ପ୍ରଥମ ୧୦ ଓଭର ଡିଫେନ୍ସିଭ୍‌ ଖେଳି ୧ ଉଇକେଟରେ ମାତ୍ର ୧୩ ରନ କରିଥିଲା। ମାତ୍ର ୧୦ ଓଭର ପରେ ବଲ୍‌ ପରିବର୍ତ୍ତନ ସହ ଅଷ୍ଟ୍ରେଲିଆର ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପରିଚିତ ହେଡ୍‌ ଓ ଲାବୁସେନ ବଡ଼ ଶଟ୍‌ ଖେଳି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ୧୯ତମ ଓଭରର ୫ମ ବଲ୍‌ରେ ଲାବୁସେନ ବିଜୟ ସୂଚକ ଚୌକା ମାରିବା ସହ ଅଷ୍ଟ୍ରେଲିଆ ସ୍ମରଣୀୟ ବିଜୟ ହାସଲ କରିଥିଲା। ଏହି ଟେଷ୍ଟ ବିଜୟ ସହ ଅଷ୍ଟ୍ରେଲିଆ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ପ୍ରବେଶ କରିଛି। ଦୁଇ ଇନିଂସରେ ଭାରତ ଯଥାକ୍ରମେ ୧୦୯ ଓ ୧୬୩ ରନ କରିଥିବାବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ କରିଥିଲା। ଭ୍ରମଣକାରୀ ଦଳର ତାରକା ସ୍ପିନର ନାଥାନ ଲିୟନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଗତ ୬ ବର୍ଷରେ ଭାରତ ମାଟିରେ ଅଷ୍ଟ୍ରେଲିଆର ଏହାଥିଲା ପ୍ରଥମ ଟେଷ୍ଟ ବିଜୟ। ଅନ୍ୟପକ୍ଷରେ ଗତ ୧୦ ବର୍ଷରେ ଅଷ୍ଟ୍ରେଲିଆଠାରୁ ଭାରତର ଏହାଥିଲା ତୃତୀୟ ପରାଜୟ। ଦୁଇ ଦଳ ମଧ୍ୟରେ ୪ର୍ଥ ତଥା ଅନ୍ତିମ ଟେଷ୍ଟ ଆସନ୍ତା ୯ ତାରିଖରୁ ଅହମଦାବାଦରେ ଆରମ୍ଭ ହେବ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୧୦୯। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୧୯୭। ଭାରତ ଦ୍ୱିତୀୟ ଇନିଂସ: ୧୬୩। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୭୮/୧ (ଟ୍ରାଭିସ ହେଡ୍‌-୪୯*, ମାର୍ନସ ଲାବୁସେନ-୨୮*, ରବିଚନ୍ଦ୍ରନ ଅଶ୍ୱିନ-୧/୪୪)।

Share