Categories: ଖେଳ

ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ମ୍ୟାଚ୍‌ : ଖୋଲିବ ସେମିଫାଇନାଲ ଖେଳିବାର ରାସ୍ତା…

ବ୍ରିସବେନ୍‌,୩୧।୧୦ : ଟି-୨୦ ବିଶ୍ୱକପ ୨୦୨୨ ରେ ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଦଳ ସୋମବାର ମୁହାଁମୁହିଁ ହେବେ। ଏହି ମ୍ୟାଚ ବ୍ରିସବେନରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧:୩୦ରେ ଆରମ୍ଭ ହେବ। ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ। ଯେଉଁ ଦଳ ଏହି ମ୍ୟାଚ ଜିତିବ, ତାହାର ସେମିଫାଇନାଲ ଖେଳିବା ସୁଯୋଗ ମଧ୍ୟ ଶକ୍ତିଶାଳୀ ହେବ ।

ଉଭୟ ଦଳ ଏପର୍ଯ୍ୟନ୍ତ ସୁପର -୧୨ ରାଉଣ୍ଡରେ ତିନୋଟି ମ୍ୟାଚ ଖେଳିଛନ୍ତି। ଉଭୟ ଦଳର ପଏଣ୍ଟ ୩ ରହିଛି। ଯଦିଓ ନେଟ ରନ ହାର ଦୃଷ୍ଟିରୁ ଆୟର୍ଲାଣ୍ଡର ସ୍ଥିତି ଭଲ ଅଛି। ୬ ଟି ଦଳର ଗ୍ରୁପ-୧ ରେ ଆୟର୍ଲାଣ୍ଡ ତୃତୀୟ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ଅଛି ।

ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିଥିଲେ। ଏହା ପରେ ସେ ଶ୍ରୀଲଙ୍କାକୁ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିଥିଲା। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ପାଇଁ ଏହି ବିଶ୍ୱକପ ଜବରଦସ୍ତ ରହିଛି। ପ୍ରଥମ ରାଉଣ୍ଡରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସୁପର -୧୨ ରେ ପ୍ରବେଶ କରିଥିବା ଇଂରେଜ ଦଳ ଏଠାରେ ଇଂଲଣ୍ଡକୁ ପରାସ୍ତ କରିଛି।

ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆ ପାଇଁ ସବୁଠୁ ବଡ ସମସ୍ୟା ହେଉଛି ଏହାର ଓପନିଂ ଯୋଡି। ୱାର୍ଣ୍ଣର ଏବଂ ଫିଞ୍ଚ ରନ ସ୍କୋର କରିବାରେ ଅସମର୍ଥ। ମିଚେଲ ମାର୍ଶଙ୍କୁ ଏପର୍ଯ୍ୟନ୍ତ ଫୁଲ୍‌ ଆକ୍ସନରେ ଦେଖିବାକୁ ମିଳିନାହିଁ। ଆୟର୍ଲାଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆର ଟପ୍‌ ଅର୍ଡର ଖେଳାଳିଙ୍କୁ ମନ ଧ୍ୟାନ ଦେଇ ଖେଳିବା ଜରୁରୀ ହୋଇପଡ଼ିଛି।

Share