Categories: ଖେଳ

ଜର୍ମାନୀକୁ ହରାଇଲା ଅଷ୍ଟ୍ରେଲିଆ

ରାଉରକେଲା ଅଫିସ, ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୫ା୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ରେ ବିଶ୍ୱ ଚାମ୍ପିୟନ ଜର୍ମାନୀର ଖରାପ ପ୍ରଦର୍ଶନ ଅବ୍ୟାହତ ରହିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଏହି ଦଳକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଚର ୧୨ତମ ମିନିଟରେ ଜ୍ୟାକ ହ୍ବିଟନ ଓ ୧୫ତମ ମିନିଟରେ ଜ୍ୟାକ ଓ୍ବେଲ୍‌ଚ ଗୋଟିଏ ଲେଖାଏ ଗୋଲ ଦେଇଥିବାବେଳେ ଜର୍ମାନୀ ଗୋଞ୍ଜାଲୋ ପିଲାଟ ୨୨ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଅବଶିଷ୍ଟ ସମୟରେ ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ କୌଣସି ଦଳ ଗୋଲ ଦେଇପାରି ନ ଥିଲେ। ଏଠାରେ ବିଜୟ ଫଳରେ ଅଷ୍ଟ୍ରେଲିଆ ଗତ ୧୧ ତାରିଖରେ ଜର୍ମାନୀଠାରୁ ୦-୧ ଗୋଲ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଅନ୍ୟପକ୍ଷରେ ଜର୍ମାନୀ ଏଠାରେ ଖେଳିଥିବା ୪ ମ୍ୟାଚରୁ ତୃତୀୟ ପରାଜୟ ବରଣ କରିଛି। ଏହି ଦଳ ଭାରତଠାରୁ ୨ଟି ମ୍ୟାଚରେ ଯଥାକ୍ରମେ ୨-୩ ଓ ୩-୬ ଗୋଲରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଖେଳିଥିବା ୩ ମ୍ୟାଚରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି। ପ୍ରଥମ ୨ଟି ମ୍ୟାଚରେ ଏହି ଦଳ ଜର୍ମାନୀଠାରୁ ୦-୧ ଓ ଭାରତଠାରୁ ୪-୫ ଗୋଲରେ ପରାଜିତ ହୋଇଥିଲା। ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ରାଉରକେଲାରେ ଚଳିତ ପର୍ଯ୍ୟାୟର ଏହା ହେବ ୬ଷ୍ଠ ତଥା ଶେଷ ମ୍ୟାଚ। ଭାରତ ଏଠାରେ ଏପର୍ଯ୍ୟନ୍ତ ଖେଳିଥିବା ୩ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ଜର୍ମାନୀକୁ ୨ଟିଯାକ ମ୍ୟାଚରେ ହରାଇଥିବାବେଳେ ଅଷ୍ଟ୍ରେଲିଆକୁ ଗତ ୧୨ ତାରିଖରେ ୫-୪ ଗୋଲରେ ପରାସ୍ତ କରିଥିଲା।

Share