Categories: ଖେଳ

ଭାରତକୁ ୫୪ରନରେ ହରାଇଲା ଅଷ୍ଟ୍ରେଲିଆ

ମୁମ୍ବାଇ, ୨୧ା୧୨ (ପି.ଟି.): ଭାରତ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୫୪ ରନରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୪-୧ରେ ଅଗ୍ରଣୀ ଲାଭ କରିଛି। ୧୯୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୧୪୨ ରନରେ ଅଲଆଉଟ ହୋଇଯାଇଥିଲା। ଦଳର ଟପ୍‌ ସ୍କୋରର ଦୀପ୍ତି ଶର୍ମା ୩୪ ବଲ୍‌ରୁ ୫୩ ରନ କରିଥିଲେ। ହିଥର ଗ୍ରାହମ୍‌ ଏକ ହ୍ୟାଟ୍ରିକ ସହ ମାତ୍ର ୮ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିବା ବେଳେ ଗାର୍ଡନର (୨/୨୦) ଦୁଇଟି ଉଇକେଟ ହାସଲ କରିଥିଲେ।
ପୂର୍ବରୁ ଏକଦା ୨ ଉଇକେଟ ବିନିମୟରେ ୧୭ ରନ କରିଥିବା ଅଷ୍ଟ୍ରେଲିଆ ଆଶ୍‌ଲେ ଗାର୍ଡନର (୬୬*), ଗ୍ରେସ୍‌ ହାରିସ (୬୪*)ଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ୪ଉଇକେଟ ହରାଇ ୧୯୬ ରନ କରିଥିଲା। ସିରିଜରେ ଦଳର ଏହା ହେଉଛି ସର୍ବାଧିକ ସ୍କୋର। ଭାରତ ତରଫରୁ ଅଞ୍ଜଳୀ ସାର୍ବାନୀ (୧/୩୦), ଦୀପ୍ତି ଶର୍ମା (୧/୪୬), ଶେଫାଳି ବର୍ମା (୧/୧୭) ଓ ଦେବୀକା ବୈଦ୍ୟ (୧/୨୬) ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ମହିଳା ଦଳ: ୧୯୬/୪ (ଆଶ୍‌ଲେ ଗାର୍ଡନର-୬୬*, ଗ୍ରେସ୍‌ ହାରିସ-୬୪*; ଦେବୀକା ବୈଦ୍ୟ-୧/୨୬)।
ଭାରତ ମହିଳା ଦଳ: ୨୦ ଓଭରରେ ୧୪୨/ଅଲଆଉଟ (ଦୀପ୍ତି ଶର୍ମା-୫୩; ହିଥର ଗ୍ରାହମ୍‌-୪/୮)।

Share