କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଲେ ବ୍ୟକ୍ତି

କାନବେରା,୨୯।୭: ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। କରୋନା ସହ ମୁକାବିଲା କରିବା ପାଇଁ ସାରା ଦେଶର ବିଶେଷଜ୍ଞ ଭ୍ୟାକ୍‌ସିନ ବାହାର କରିବାରେ ଲାଗିପଡ଼ିଛନ୍ତି। ତେବେ ଭ୍ୟାକସିନ୍‌ ନ ବାହାରିବା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଏଥିରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି। ଯେପରିକି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଇତିମଧ୍ୟରେ ଅଷ୍ଟ୍ରେଲିଆର ବେଲଗ୍ରେଭ୍‌ରେ ଜଣେ ବ୍ୟକ୍ତି କରୋନାରୁ ବର୍ତ୍ତିବା ପାଇଁ ନିଆରା ଉପାୟ ଆପଣାଇଛନ୍ତି। ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ଉଚ୍ଚତାର ଏକ ବେଲୁନରେ ନିଜକୁ ବନ୍ଦ କରି ରାସ୍ତାରେ ଦୌଡ଼ିବାକୁ ଲାଗିଥିଲେ। ଏଥିସହ ରାସ୍ତାରେ ଚିତ୍କାର କରି କହିଥିଲେ ମୁଁ ବେଲୁନ ଭିତରେ ରହୁଛି ମୋତେ କରୋନା ଛୁଇଁପାରିବନି। କେତେକ ଲୋକ ତାଙ୍କ ଚିତ୍କାର ଶୁଣି ଭୟଭୀତ ହୋଇଯାଇଥିବା ବେଳେ ଆଉ କେତେକ ଲୋକ ଜୋର୍‌ରେ ହସିବାକୁ ଲାଗିଥିଲେ। ଜେନିନେ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଫେସ୍‌ବୁକରେ ଶେୟାର କରିବା ସହ ଏକ ମଜାଳିଆ କ୍ୟାପଶନ୍‌ ଲେଖିଛନ୍ତି। ଜେନିନେ କ୍ୟାପଶନ୍‌ରେ ଲେଖିଛନ୍ତି, ଏହା କେବଳ ବେଲଗ୍ରେଭ୍‌ରେ ସମ୍ଭବ। ଏହି ଭିଡିଓ ଶେୟାର ହେବାର କିଛି ସମୟ ମଧ୍ୟରେ ଏହାକୁ ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।

Share