ଅକ୍ଲ୍ୟାଣ୍ଡ,୧୯।୩: ଆଇସିସି ମହିଳା ବିଶ୍ୱକପର ଆଉ ଏକ ମୁକାବିଲାରେ ପୁଣି ହାରିଛି ଭାରତ। ସ୍ଥାନୀୟ ଇଡେନ୍ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍ରେ ଭାରତୀୟ ମହିଳା ଟିମ ଚ୍ୟାଲେଞ୍ଜିଂ ୨୭୮ ରନ୍ର ଟାର୍ଗେଟ ଦେଇଥିଲା। ହେଲେ ଅଷ୍ଟ୍ରେଲିଆ ଟିମ୍ ୪ ଉଇକେଟ ହରାଇ ୩ ବଲ ପୂର୍ବରୁ ଏହାକୁ ହାସଲ କରି ନେଇଛି। ଅଷ୍ଟ୍ରେଲିଆର ଏହି ବିଜୟରେ ଅଧିନାୟକ ମେଗ ଲାନ୍ନିଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୦୭ ବଲ୍ରେ ୯୭ ରନ୍ର ଇନିଂସ ଖେଳି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛନ୍ତି।
ଚଳିତ ବିଶ୍ୱକପରେ ଏହା ଅଷ୍ଟ୍ରେଲିଆର ୫ମ ବିଜୟ। ଦଳ ଏଯାଏ ଗୋଟିଏ ହେଲେ ମ୍ୟାଚ ହାରିନାହିଁ। ତେବେ ଭାରତ ଚଳିତ ବଶ୍ୱକପର ୫ଟି ମ୍ୟାଚ୍ ୨ଟିରେ ଜିତିଛି ଓ ୩ଟିରେ ହାରିଛି। ଗତ ମ୍ୟାଚ୍ରେ ଦଳ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା।
ପ୍ରକାଶ ଯେ, ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଲାନ୍ନିଂ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ଟିମ୍ ଇଣ୍ଡିଆ ୫୦ ଓଭରରେ ୭ ଉଇକେଟ ହରାଇ ୨୭୭ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ଦମଦାର ବ୍ୟାଟିଂ କରିଥିଲା। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୮ ରନ ଆବଶ୍ୟକ ଥିଲା। ତେବେ ମୋନୀ ତାଙ୍କର ପ୍ରଥମ ବଲରେ ଚୌକା ଓ ଦ୍ୱିତୀୟ ବଲରେ ୨ ରନ ହାସଲ କରିନେଇଥିଲେ। ଜିତିବାକୁ ୨ ରନ ଆବଶ୍ୟକ ଥିବା ବେଳେ ସେ ଚୌକା ମାରି ଅଷ୍ଟ୍ରେଲିଆକୁ ଚଳିତ ବିଶ୍ୱକପରେ ୫ମ ବିଜୟ ଭେଟି ଦେଇଥିଲେ।