Categories: ଖେଳ

୧୮୮ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ମୁମ୍ବାଇ,୧୭ା୩: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ୧୮୮ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି। ଫଳରେ ଭାରତ ଆଗରେ ୧୮୯ ରନ୍‌ର ବିଜୟ ଟାଗେର୍ଟ ରଖିଛି ଅଷ୍ଟ୍ରେଲିଆ। ଭାରତର ଅଧିନାୟକ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଭାରତୀୟ ବୋଲରଙ୍କ ଦମ୍‌ଦାର ବୋଲିଂ ଯୋଗୁ ଆରମ୍ଭରୁ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୩୫.୪ ଓଭରରେ ୧୮୮ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ମିଚେଲ ମାର୍ଶ ୬୫ ବଲ୍‌ରେ ଦଳ ପାଇଁ ସର୍ବାଧିକ ୮୧ ରନ୍‌ କରିଥିଲେ। ସେହିପରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ୨୨ ରନ୍‌ କରିଥିବା ବେଳେ ଜୋସ ଇଂଗ୍ଲିଶ ୨୬ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ମାର୍ନସ ଲାବୁସାଗ୍ନେ ୧୫ ରନ୍‌ କରିଥିବା ବେଳେ କ୍ୟାମେରନ ଗ୍ରୀନ ୧୫ ରନ୍‌ କରିଥିଲେ। ଅନ୍ୟ ଖେଳାଳି ଏକ ଅଙ୍କ ବିଶିଷ୍ଟ ରନ୍‌ରେ ରହିଯାଇଥିଲେ। ଫଳରେ ଅଷ୍ଟ୍ରେଲିଆ ୧୮୮ ରନ୍‌ରେ ଅଟକି ଯାଇଥିଲା।
ଭାରତର ମହମ୍ମଦ ସିରାଜ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ମହମ୍ମଦ ଶାମି ମଧ୍ୟ ୩ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା ୨ ଉଇକେଟ ନେଇଥିବା ବେଳେ କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ।

Share