Categories: ଖେଳ

ପୂଜାରାଙ୍କୁ ସ୍ବତନ୍ତ୍ର ଉପହାର ଦେଲା ଅଷ୍ଟ୍ରେଲିଆ ଟିମ୍‌

ନୂଆଦିଲ୍ଲୀ,୧୯।୨: ଭାରତୀୟ କ୍ରିକେଟ ଦଳ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ ଇଣ୍ଡିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଏହି ଟେଷ୍ଟ ମ୍ୟାଚ ଚେତେଶ୍ୱର ପୂଜାରା କେବେ ବି ଭୁଲି ପାରିବେ ନାହିଁ, କାରଣ ଏହା ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ଥିଲା। ଦିଲ୍ଲୀ ଟେଷ୍ଟ ପରାଜୟ ସତ୍ତ୍ୱେ ଅଷ୍ଟ୍ରେଲିଆ ଦଳ ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଛି। ପୂଜାରାଙ୍କ ୧୦୦ତମ ଟେଷ୍ଟର ଅବସରରେ କଙ୍ଗାରୁ ଦଳ ତାଙ୍କୁ ଏକ ବିଶେଷ ଉପହାର ଦେଇଥିଲେ।
ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଅଧିନାୟକ ପାଟ କମିନ୍ସ ଖେଳାଳିଙ୍କ ଦସ୍ତଖତ ହୋଇଥିବା ଜର୍ସି ଚେତେଶ୍ୱର ପୂଜାରାଙ୍କୁ ଉପହାର ପ୍ରଦାନ କରିଥିଲେ। କମିନ୍ସ ଏହି ଉପହାରକୁ ଡ୍ରେସିଂ ରୁମରେ ଚେତେଶ୍ୱର ପୂଜାରାଙ୍କୁ ଦେଇଥିଲେ। ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ପ୍ୟାଟ କମିନ୍ସ ଏବଂ ଚେତେଶ୍ୱର ପୂଜାରାଙ୍କ ଜର୍ସି ସହିତ ସୋସିଆଲ ମିଡିଆରେ ଏହି ଫଟୋ ଅପଲୋଡ କରିଛି। ବିସିସିଆଇ କ୍ୟାପସନ ଲେଖିଛି, ‘ସ୍ପିରିଟ ଅଫ କ୍ରିକେଟ’। ଏହାପୂର୍ବରୁ ଭାରତ ମଧ୍ୟ ୧୦୦ତମ ଟେଷ୍ଟ ଅବସରରେ ମ୍ୟାଚ ପରେ ଅଫ ସ୍ପିନର ନାଥନ ଲିୟନଙ୍କୁ ଜର୍ସି ପ୍ରଦାନ କରିଥିଲା।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ ୧ରୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ।

Share