Categories: ଖେଳ

ଅଷ୍ଟ୍ରେଲିଆ ଗସ୍ତ: କ୍ୱାରାଣ୍ଟାଇନ୍‌ ଅବଧି କମାଇବାକୁ ଚାହାନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ,୧୨।୭(ପି.ଟି.): ଆଗାମୀ ଡିସେମ୍ବରରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆରେ କୋଭିଡ୍‌-୧୯ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ମେଲେବୋର୍ନ ଏବେ ହଟ୍‌ ସ୍ପଟ୍‌ ଭାବେ ପରିଗଣିତ ହେଉଛି। ଭାରତୀୟ ଖେଳାଳିମାନେ ସେଠାରେ ପହଞ୍ଚିବା ପରେ କ୍ୱାରାଣ୍ଟାଇନ୍‌ରେ ଦୁଇ ସପ୍ତାହ ରହିବା ନିୟମ ଧାର୍ଯ୍ୟ ହୋଇଛି। ପୁଣି ଖେଳିବା ପାଇଁ ପଡିଆରେ ଓହ୍ଲାଇବା ପୂର୍ବରୁ ଖେଳାଳିମାନଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯିବ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏହି କ୍ୱାରାଣ୍ଟାଇନ୍‌ ଅବଧୀରେ କମ୍‌ କରିବାକୁ ଚାହୁଁଥିବା କଥା କହିଛନ୍ତି। ଏହି ଗସ୍ତରେ ଭାରତୀୟ ଖେଳାଳିଙ୍କ ପାଇଁ ଏହି ନିୟମରେ କିଛି କୋହଳ କରାଯିବ ବୋଲି ଗାଙ୍ଗୁଲି ଆଶା ପ୍ରକାଶ କରିଛନ୍ତି। ଏହି ହାଇପ୍ରୋଫାଇଲ ଗସ୍ତରେ ଭାରତ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ ଓ ଏଥିରେ ଗୋଟିଏ ଦିବାରାତ୍ର ଟେଷ୍ଟ ସାମିଲ ରହିଛି।
ଭାରତ ଡିସେମ୍ବରରେ ଏହି ଗସ୍ତରେ ଯିବା ନିଶ୍ଚିତ ହୋଇଛି ଓ ସେଠାରେ କ୍ୱାରାଣ୍ଟାଇନ୍‌ରେ ଦିନ ସଂଖ୍ୟା ଆମେ କମାଇବାକୁ ଚାହୁଁଛୁ ବୋଲି ଇଣ୍ଡିଆ ଟୁ ଡେ ଶୋ’ ‘ଦି ଇନ୍‌ସ୍ପିରେଶନ’ରେ ଗାଙ୍ଗୁଲି କହିଛନ୍ତି। ଆମେ ଖେଳାଳିମାନେ ହୋଟେଲ ରୁମ୍‌ରେ ଦୁଇ ସପ୍ତାହ ବସି ରହିବା ଆମେ ଚାହୁଁନାହୁଁ। ଏହା ଚାପ ସୃଷ୍ଟି କରିବ ଓ ନିଶ୍ଚିତ ଭାବେ ନୈରାଶ୍ୟଜନକ। ମେଲବୋର୍ନକୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ କୋଭିଡ୍‌-୧୯ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ସେଠାରେ କ୍ୱାରାଣ୍ଟାଇନ୍‌ ଅବଧୀ କମିବ ବୋଲି ଆଶା କରୁଛି। ଅଷ୍ଟ୍ରେଲିଆ ଗସ୍ତ ବିରାଟ କୋହଲିଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ତାଙ୍କ ପାଇଁ ଏହି ମାଇଲଷ୍ଟୋନ ସିରିଜ ସାବ୍ୟସ୍ତ ହେବ। ଗତ ୬ ମାସ ହେବ କୋହଲି କ୍ରିକେଟ ଖେଳି ନାହାନ୍ତି। ତେଣୁ ସିରିଜ ପୂରା ସମ୍ପୂର୍ଣ୍ଣ ଫିଟ ରହିବା ନିହାତି ଜରୁରି। ଦ୍ରୁତ ବୋଲରମାନେ ସିରିଜ ପାଇଁ ଫିଟ୍‌ ଓ ପ୍ରସ୍ତୁତ ରହିବାର ଆବଶ୍ୟକ ବୋଲି ଗାଙ୍ଗୁଲି କହିଛନ୍ତି।

Share