Categories: ଖେଳ

ମହିଳା ଆଶେସ ଜିତିଲା ଅଷ୍ଟ୍ରେଲିଆ

ନଟିଂହାମ୍‌, ୨୭ ା୬: ଟେଣ୍ଟବ୍ରିଜରେ ଖେଳା ଯାଇଥିବା ଏକମାତ୍ର ଟେଷ୍ଟକୁ ୮୯ ରନରେ ଜିତିବା ସହ ମହିଳା ଆଶେଷ ଟେଷ୍ଟ ସିରିଜ୍‌ କବଜା କରିଛି ଅଷ୍ଟ୍ରେଲିଆ। ସ୍ପିନର ଆସ୍‌ଲେ ଗାର୍ଡନର ଦ୍ୱିତୀୟ ଇନିଂସରେ ୮ ଉଇକେଟ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୧୬/୫ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ୧୭୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଚତୁର୍ଥ ଦିନରେ ୩ ଉଇକେଟ ନେଇଥିବା ଗାର୍ଡନର ଅନ୍ତିମ ଦିନର ସମସ୍ତ ୫ ଉଇକେଟ ପୋଛି ନେଇଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୩ ରନ୍‌ କରିଥିବା ବେଳେ ଇଂଲଣ୍ଡ ୪୬୩ ରନ୍‌ କରିଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୫୭ ରନ୍‌ରେ ଅଲଆଉଟ୍‌ ହେବା ସହିତ ଇଂଲଣ୍ଡ ଆଗରେ ୨୬୮ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
୧୧୬ ରନ୍‌ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଦଳୀୟ ସ୍କୋର ୧୪୧ରେ କେଟ୍‌ କ୍ରସ୍‌(୧୩)ଙ୍କ ଉଇକେଟ ହରାଇଥିଲା। ୩୬ ରନ୍‌ରେ ଅନ୍ତିମ ୪ ଉଇକେଟ ହରାଇବା ସହିତ ଇଂଲଣ୍ଡ ୧୭୮ ରନ୍‌ରେ ଅଲଆଉଟ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଡାନିଏଲ ଓ୍ବାୟାଟ ସର୍ବାଧିକ ୫୪ ରନ୍‌ ସଂଗ୍ରହ କରିଥିଲେ। ଗାର୍ଡନର ୬୬ ରନ୍‌ ଦେଇ ୮ ଉଇକେଟ ନେଇଥିଲେ। କିମ ଗାର୍ଥ ଓ ଟାଲିଆ ମ୍ୟାକଗ୍ରା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ୪ ଉଇକେଟ ନେଇଥିବା ଗାର୍ଡନର ଉଭୟ ଇନିଂସରେ ୧୨ ଉଇକେଟ ନେଇଛନ୍ତି। ମହିଳା ଟେଷ୍ଟରେ ଶ୍ରେଷ୍ଠ ବୋଲିଂ ଫିଗର ଓ ଗୋଟିଏ ଟେଷ୍ଟରେ ସର୍ବାଧିକ ଉଇକେଟ ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ-୪୭୩
ଇଂଲଣ୍ଡ ପ୍ରଥମ ଇନିଂସ-୪୬୩
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ-୨୫୭
ଇଂଲଣ୍ଡ ଦ୍ୱିତୀୟ ଇନିଂସ ୪୯ ଓଭରରେ ୧୭୮/୧୦(ଡାନିଏଲ ଓ୍ବାୟାଟ-୫୪, ଏମ୍ମା ଲାମ୍ବ-୨୮, ଟ୍ୟାମି ବିମଣ୍ଟ-୨୨, ଆସଲେ ଗାର୍ଡନର-୮/୬୬, ଟାଲିଆ ମ୍ୟାକଗ୍ରା-୧/୨୮, କିମ ଗାର୍ଥ-୧/୩୨)।

Share