ଗୁଆହାଟୀ,୨୮ା୧୧: ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ବଳରେ ଭାରତ ବିପକ୍ଷ ତୃତୀୟ ଟି୨୦ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଭାରତ ୩ ଉଇକେଟରେ ୨୨୨ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଇନିଂସର ଅନ୍ତିମ ବଲରେ ୫ ଉଇକେଟ ହରାଇ ବିଜୟୀ ହୋଇଥିଲା। ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚର ଇନିଂସ ରିପ୍ଲେ ସହିତ ମ୍ୟାକ୍ସଓ୍ବେଲ ଅପରାଜିତ ଶତକ ହାସଲ କରିଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିଥିବା ବେଳେ ଭାରତ ୨୪ ରନ୍ରେ ଯଶସ୍ବୀ ଜୟସ୍ବାଲ(୬) ଓ ଇଶାନ କିଶନ୍(୦)ଙ୍କ ଉଇକେଟ ହରାଇଥିଲା। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୩୯) ଓ ଋତୁରାଜ ଗାଏକ୍ୱାଡ(୧୨୩*) ତୃତୀୟ ଉଇକେଟରେ ୫୭ ରନ୍ ଯୋଡି ସ୍ଥିତି ସୁଧାରିଥିଲେ। ୮୧ ରନରେ ତୃତୀୟ ଉଇକେଟର ପତନ ପରେ ଗିୟର ବଦଳାଇଥିଲେ ଗାଏକ୍ୱାଡ। ଟି୨୦ ତଥା ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ଚତୁର୍ଥ ଉଇକେଟରେ ତିଳକ ବର୍ମା(୩୧)ଙ୍କ ସହିତ ୧୪୧ ରନ୍ ଯୋଡିଥିଲେ। ଋତୁରାଜ ୫୭ ବଲ୍ ଖେଳି ୧୩ ଚୌକା ଓ ୭ ଛକା ମାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେନ୍ ରିଚାର୍ଡସନ୍, ଜାସନ୍ ବେର୍ହେଣ୍ଡ୍ରଫ ଓ ଆରୋନ୍ ହାର୍ଡି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୩ ରନ୍ ଲକ୍ଷ୍ୟକୁ ନେଇ ଅଷ୍ଟ୍ରେଲିଆ ୬୮ ରନରେ ୩ ଓ ୧୩୪ ରନ୍ରେ ପଞ୍ଚମ ଉଇକେଟ ହରାଇଥିଲା। ଅନ୍ତିମ ୬ ଓଭରରେ ୯୦ରୁ ଅଧିକ ରନ୍ ଆବଶ୍ୟକ ଥିବା ବେଳେ ମ୍ୟାକ୍ସଓ୍ବେଲ ଖେଳିଥିଲେ ଏକ ଅବିଶ୍ୱସନୀୟ ଇନିଂସ। ୪୮ ବଲ୍ ଖେଳି ୮ ଲେଖାଏ ଛକା ଓ ଚୌକା ସହିତ ସେ ୧୦୪ ରନ୍ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ୪୭ ବଲ୍ରେ ଶତକ ପୂରଣ କରିବା ସହ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ଶତକରେ ଜୋଶ ଇଂଲିସ ଓ ଆରେନ୍ ଫିଞ୍ଚଙ୍କ ସମକକ୍ଷ ହୋଇଥିଲେ। ଅଧିନାୟକ ମାଥ୍ୟୁ ଓ୍ବେଡ୍ ଅପରାଜିତ ୨୮ ରନ୍ କରିଥିଲେ। ଭାରତ ପକ୍ଷରୁ ରବି ବିଷ୍ଣୋଇ ୨ ଉଇକେଟ ନେଇଥିବା ବେଳେ ଅକ୍ଷର ପଟେଲ, ଆଭେଶ ଖାନ୍ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।