Categories: ଖେଳ

ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଅଷ୍ଟ୍ରେଲିଆ

କେପ୍‌ ଟାଉନ୍‌,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି। ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିଥିବା ବେଳେ ଭାରତ ୮ ଉଇକେଟ ହରାଇ ୧୬୭ ରନ୍‌ କରିଥିଲା।

ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଅଷ୍ଟ୍ରେଲିଆର ଦୁଇ ଓପନର ଏଲିଆ ହିଲେ ଏବଂ ବେଥ୍‌ ମୋନି ପ୍ରାରମ୍ଭରୁ ଭଲ ଷ୍ଟାଟ୍‌ ଦେଇଥିଲେ। ବେଥ୍‌ ମୋନି ୫୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ମିଗି ଲାନିନିଙ୍ଗ ୪୯ ରନ୍‌ କରି ନଟ୍‌ଆଉଟ ରହିଥିଲେ। ସେହିପରି ଏସ୍‌ଲେ ଗାର୍ଡନର ୩୧ ରନ୍‌ କରିଥିବା ବେଳେ ଏଲିସା ହିଲେ ୨୫ ରନ୍‌ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ୧୭୨ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଶିଖା ପାଣ୍ଡେ ୩ ଉଇକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୧୭୩ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଭାରତ ୨୮ ରନ୍‌ରେ ୩ ଉଇକେଟ ହରାଇଥିବା ବେଳେ ଜେମିମା ରଡ୍ରିଗୁଏଜ୍‌ ୪୩ ଓ ହରମନ୍‌ପ୍ରୀତ୍‌ କୌର୍‌ ୫୨ ରନ୍‌ କରିଥିଲେ। ସ୍ମୃତି ମନ୍ଧାନା(୨), ଶେଫାଳି ବର୍ମା(୯) ଏବଂ ୟସ୍ତିକା ଭାଟିଆ(୪) ଚତୁର୍ଥ ଓଭର ସୁଦ୍ଧା ପ୍ୟାଭିଲିୟନ ଫେରିଥିଲେ। ତେବେ ଜେମିମା ରଡ୍ରିଗୁଏଜ୍‌(୪୩) ଓ ହରମନ୍‌ପ୍ରୀତ୍‌ କୌର୍‌(୫୨) ଚତୁର୍ଥ ଉଇକେଟରେ ୬୯ ରନ୍‌ ଯୋଡିଥିଲେ। ୨୪ ବଲ୍‌ ଖେଳିଥିବା ଜେମିମା ୬ ଚୌକା ମାରିଥିଲେ। ହରମନପ୍ରୀତ ୩୪ ବଲ୍‌ ଖେଳି ୬ ଚୌକା ଓ ୧ ଛକା ମାରିଥିବା ହରମନପ୍ରୀତ୍‌ ୧୫ ତମ ଓଭରରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇଥିଲେ। ରିଚା ଘୋଷ ୧୪ ରନ୍‌ କରିଥିବା ବେଳେ ସ୍ନେହ ରାଣା ୧୧ରନ୍‌ କରିଥିଲେ। ସେହିପରି ଶିଖା ପାଣ୍ଡେ ୧ ରନ୍‌ ଏବଂ ଦୀପ୍ତି ଶର୍ମା ୨୦ ରନ୍‌ କରି ନଟ୍‌ଆଉଟ ରହିଥିଲେ। ଫଳରେ ଭାରତ ୮ ଉଇକେଟ ହରାଇ ୧୬୭ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡାର୍ସି ବ୍ରାଉନ୍‌ ଏବଂ ଆସ୍‌ଲେ ଗାର୍ଡନର ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ମେଗାନ ସ୍କଟ୍‌ ଏବଂ ଜେସ୍‌ ଜୋନାସେନ୍‌ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share