Categories: ଖେଳ

ଗାବା ଟେଷ୍ଟରେ ବାଜି ମାରିଲା ଅଷ୍ଟ୍ରେଲିଆ

ବ୍ରିସ୍‌ବେନ,୧୧।୧୨: ଦେଢ ଦିନ ବାକି ଥାଇ ନୂଆ ଅଧିନାୟକ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଆଶେସ ସିରଜର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଶନିବାର ଅଷ୍ଟ୍ରେଲିଆ ୯ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ ବିଶିଷ୍ଟ ଏହି ହାଇପ୍ରୋଫାଇଲ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ୧୫୨ ରନର ବୃହତ ଶତକୀୟ ଇନିଂସ ଖେଳିଥିବା ଅଷ୍ଟ୍ରେଲିଆ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଟ୍ରାଭିସ୍‌ ହେଡ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆଡିଲେଡ୍‌ରେ ଡିସେମ୍ବର ୧୬ ତାରିଖ ଗୁରୁବାର ଆରମ୍ଭ ହେବ। ୨୦୧୦-୧୧ ପରେ ଇଂଲଣ୍ଡ ଅଷ୍ଟ୍ରେଲିଆ ମାଟିରେ ଗୋଟିଏ ହେଲେ ବି ଟେଷ୍ଟ ଜିତିପାରି ନାହିଁ। ପୁଣି ୧୯୮୬ ପରେ ଗାବରେ ମଧ୍ୟ ଇଂଲଣ୍ଡ କୌଣସି ଟେଷ୍ଟ ଜିତିବାରେ ସକ୍ଷମ ହୋଇପାରି ନାହିଁ।

ଅନ୍ୟପକ୍ଷେ, ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ଉପରକୁ ଉଠିଛି। ମ୍ୟାଚ ଜିତି ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଫଳରେ ଭାରତ ୪ ଚତୁର୍ଥ ସ୍ଥାନକୁ ଖସି ଆସିଛି।

ଗାବାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ କରିଥିଲା ଇଂଲଣ୍ଡ । ଇଂଲଣ୍ଡ ମାତ୍ର ୧୪୭ ରନ୍‌ କରି ପ୍ରଥମ ଇନିଂସରେ ଅଲ୍‌ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ପ୍ୟାଟ କୁମିନ୍ସ ୫ ଉଇକେଟ ହାସଲ କରିଥିଲେ ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ଡେଭିଡ ୱାର୍ଣ୍ଣର ଓ ଟ୍ରାଭିସ ହେଡଙ୍କ ବ୍ୟାଟିଂ ଆଗରେ ହାର ମାନିଥିଲେ ଇଂଲଣ୍ଡ ବୋଲର । ଟ୍ରାଭିସ ହେଡଙ୍କ ୧୫୨ ରନ୍‌ ଓ ଡେଭିଡ ୱାର୍ଣ୍ଣରଙ୍କ ୯୪ ରନ୍‌ ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୨୫ ରନ୍‌ର ବଡ଼ ସ୍କୋର କରିଥିଲା। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୭୮ ରନ୍‌ର ଲିଡ ନେଇଥିଲା ।

ଦ୍ୱିତୀୟ ଇନିଂସରେ ଅଧିନାୟକ ଜୋ ରୁଟ ଏବଂ ଡେଭିଡ ମଲାନ ପାରି ସମ୍ଭାଳିଥିଲେ । ଉଭୟ ତୃତୀୟ ଉଇକେଟ ପାଇଁ ୧୬୨ ରନ୍‌ କରିଥିଲେ । ହେଲେ ସ୍ପିନର ନାଥନ ଲାୟନଙ୍କ ଆଗରେ ତିଷ୍ଠି ପାରି ନ ଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ। ଫଳରେ ଇଂଲଣ୍ଡ ୨୯୭ ରନରେ ଅଲଆଉଟ ହୋଇଯାଇଥିଲା। ମ୍ୟାଚକୁ ଜିତିବାକୁ ଅଷ୍ଟ୍ରେଲିଆକୁ ଆବଶ୍ୟକ ଥିଲା ମାତ୍ର ୨୦ ରନ୍‌। ଜବାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ଆରମ୍ଭ କରି ଚତୁର୍ଥ ଦିବସ ଲଞ୍ଚ୍‌ ପରେ ୫.୧ ଓଭରରେ ଗୋଟିଏ ଉଇକେଟ ହରାଇ ଅତି ସହଜରେ ଟାର୍ଗେଟ ହାସଲ କରିନେଇଥିଲା।

Share