Categories: ଖେଳ

ପ୍ରଥମ ଟେଷ୍ଟ ୧୭୨ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ଓ୍ବେଲିଂଟନ୍‌,୪ା୩: ସ୍ପିନର ନାଥନ ଲିୟନଙ୍କ ଯାଦୁକରୀ ସ୍ପିନ୍‌ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ୧୭୨ ରନ୍‌ରେ ଜିତି ନେଇଛି ଅଷ୍ଟ୍ରେଲିଆ। ଲିୟନ ୬ ଉଇକେଟ ନେଇଥିବା ବେଳେ ୩୬୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ମାତ୍ର ୧୯୬ ରନ୍‌ରେ ସୀମିତ ରହିଥିଲା। ଚତୁର୍ଥ ଦିନର ଲଞ୍ଚ ଠିକ୍‌ ପରେ ପରେ ନ୍ୟୁଜିଲାଣ୍ଡ ସମସ୍ତ ଉଇକେଟ ହରାଇଥିଲା।
ତୃତୀୟ ଦିନର ଅସମାପ୍ତ ସ୍କୋର ୧୧୧/୩ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ। ଦଳ ଆଉ ୮୫ ରନ୍‌ ଯୋଡି ୭ ଉଇକେଟ ହରାଇଥିଲା। ପୂର୍ବଦିନ ୫୬ ରନ୍‌ରେ ଅପରାଜିତ ଥିବା ରାଚିନ ରବୀନ୍ଦ୍ର ଆଉ ମାତ୍ର ୩ ରନ୍‌ ଯୋଡି ଲିୟନଙ୍କ ପ୍ରଥମ ଶିକାର ହୋଇଥିଲେ। ଅନ୍ୟତମ ଅପରାଜିତ ବ୍ୟାଟର ଡାରିଲ ମିଚେଲ୍‌ ୩୮ ରନ୍‌ ସ୍କୋର କରିଥିଲେ। ଟମ୍‌ ବ୍ଲଣ୍ଡେଲ(୦) ଓ ଗ୍ଲେନ୍‌ ଫିଲିପ୍ସ(୧) ମଧ୍ୟ ବିଶେଷ ସଫଳତା ହାସଲ କରିବାରେ ଅସମର୍ଥ ହୋଇଥିଲେ। ନିମ୍ନକ୍ରମ ବ୍ୟାଟରଙ୍କ ମଧ୍ୟରେ ସ୍କଟ କୁଗେଲେଜିନ୍‌ ୨୬ ଓ ଟିମ୍‌ ସାଉଦି ୧୪ ରନ୍‌ କରିଥିଲେ। ନାଥନ ଲିୟନ ଘାତକ ବୋଲିଂ କରି ୬୫ ରନ୍‌ରେ ୬ ଉଇକେଟ ନେଇଥିବା ବେଳେ ଜୋଶ ହାଜେଲଉଡ ୨, ଟ୍ରାଭିସ ହେଡ୍‌ ଓ କାମେରନ ଗ୍ରୀନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି କାମେରନ୍‌ ଗ୍ରୀନଙ୍କ ଅପରାଜିତ ୧୭୪ ରନ୍‌ ବଳରେ ୩୮୩ ରନ୍‌ କରିଥିଲା। ଜବାରେ ନ୍ୟୁଜିଲାଣ୍ଡ ମାତ୍ର ୧୭୯ ରନ୍‌ରେ ଅଲଆଉଟ ହୋଇଥିଲା। ଗ୍ଲେନ୍‌ ଫିଲିପ୍ସଙ୍କ ୫ ଉଇକେଟ ସଫଳତା କାରଣରୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ମାତ୍ର ୧୬୪ରନ୍‌ରେ ସୀମିତ ରହିଥିଲା। କାମେରନ୍‌ ଗ୍ରୀନ୍‌ଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୩୮୩/୧୦। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୧୭୯/୧୦। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୬୪/୧୦। ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ: ୧୯୬/୧୦(ରାଚିନ୍‌ ରବୀନ୍ଦ୍ର-୫୯, ଡାରିଲ୍‌ ମିଚେଲ-୩୮, ସ୍କଟ୍‌ କୁଗେଲେଜିନ-୨୬, ନାଥନ ଲିୟନ-୬/୬୫, ଜୋଶ ହେଜେଲଉଡ-୨/୨୦, ଟ୍ରାଭିସ୍‌ ହେଡ୍‌-୧/୧୦, କାମେରନ୍‌ ଗ୍ରୀନ୍‌-୧/୧୬)।

Share