Categories: ଖେଳ

ଓଭାଲ ରେକର୍ଡକୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ

ମେଲବୋର୍ନ,୨ା୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍‌ ମ୍ୟାଚ ପୂର୍ବରୁ ଓଭାଲରେ ରେକର୍ଡକୁ ନେଇ ଚିନ୍ତାରେ ପଡିଛି ଅଷ୍ଟ୍ରେଲିଆ। ଆସନ୍ତା ଜୁନ୍‌ ୭ରୁ ୧୧ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଫାଇନାଲ ଖେଳାଯିବ। ୧୪୦ ବର୍ଷ ଧରି ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳୁଥିବା ବେଳେ ଓଭାଲରେ ରେକର୍ଡ ସବୁଠାରୁ ଖରାପ ରହିଛି। ୧୮୮୦ ମସିହାରୁ ଦଳ ଏଠାରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ୩୮ ମ୍ୟାଚରୁ ୭ ବିଜୟ ହାସଲ କରିଛି। ଏହି ଷ୍ଟାଡିୟମରେ ଦଳର ବିଜୟ ୧୮.୪୨ ପ୍ରତିଶତ ରହିଛି, ଯାହା ସର୍ବନିମ୍ନ। ଏହା ସହିତ ବିଗତ ୫୦ ବର୍ଷ ମଧ୍ୟରେ ଦଳ ଏଠାରେ ମାତ୍ର ଦୁଇଟି ଟେଷ୍ଟରେ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ଦଳ ଲଡର୍‌ସରେ ୨୯ ଟେଷ୍ଟ ଖେଳି ୧୭ ବିଜୟ ହାସଲ କରିଛି। ଲଡର୍‌ସରେ ଦଳର ବିଜୟ ୪୩.୫୯ ପ୍ରତିଶତ ରହିଛି। ଇଂଲଣ୍ଡ ଲଡର୍‌ସରେ ୧୪୧ ମ୍ୟାଚ୍‌ ଖେଳିଥିବା ବେଳେ ଦଳର ବିଜୟ ୩୯.୭୨ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ଲଡର୍‌ସରେ ବିଜୟ ରେକର୍ଡ ୩୩.୩୩ ପ୍ରତିଶତ ରହିଛି। ହେଡିଙ୍ଗଲିରେ ଅଷ୍ଟ୍ରେଲିଆର ବିଜୟ ୩୪.୬୨ ପ୍ରତିଶତ ରହିଥିବା ବେଳେ ଟେଣ୍ଟବ୍ରିଜରେ ୩୦.୪୩ ପ୍ରତିଶତ, ଓଲ୍ଡଟ୍ରାଫୋର୍ଡରେ ୨୯.୦୩ ଓ ଏଜ୍‌ବାଷ୍ଟନରେ ୨୬.୬୭ ପ୍ରତିଶତର ବିଜୟ ରେକର୍ଡ ରହିଛି।
ସମାନ ଭାବରେ ଭାରତର ରେକର୍ଡ ମଧ୍ୟ ଖରାପ ରହିଛି। ଏଠାରେ ଭାରତ ମାତ୍ର ଦୁଇଟି ମ୍ୟାଚ୍‌ ବିଜୟୀ ହୋଇଛି। ତେବେ ୨୦୨୧ ମସିହାରେ ଭାରତ ସମାନ ଭେନ୍ୟୁରେ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରିଥିଲା। ଦୀର୍ଘ ୪୦ ବର୍ଷ ପରେ ଭାରତ ଏହି ଭେନ୍ୟୁରେ ନିଜର ପ୍ରଥମ ବିଜୟ ହାସଲ କରିଥିଲା। ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ବେକେନ୍‌ହାମରେ ନିଜର ଅଭ୍ୟାସ ଆରମ୍ଭ କରିବାକୁ ଯାଉଛି। ତେବେ ବେକେନହାମ୍‌ର ପିଚ୍‌ ବ୍ୟାଟିଂ ସହାୟକ ଥିବାବେଳେ ଓଭାଲର ଟ୍ରାକ୍‌ ବୋଲିଂ ସହାୟକ ରହିଥାଏ। ଭାରତ ନିକଟରୁ ୨-୧ରେ ପରାସ୍ତ ହେବା ପରେ ଟେବୁଲ ଟପ୍ପର ଭାବରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ଅଷ୍ଟ୍ରେଲିଆ। ୨୦୨୧-୨୩ ଟେଷ୍ଟର ଉଭୟ ଘରୋଇ ଓ ବିଦେଶ ସାଇକେଲରେ ଅଷ୍ଟ୍ରେଲିଆ ଭାରତ ନିକଟରୁ ପରାଜିତ ହୋଇଥିଲା। ଏହା ସହିତ ବିଗତ ୮ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଭାରତକୁ କୌଣସି ସିରିଜରେ ପରାସ୍ତ କରିନାହିଁ।

Share