ନୂଆଦିଲ୍ଲୀ,୧୪।୧୧: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ବଲିଉଡ୍ ଡ୍ରଗ୍ସ ମାମଲାକୁ ନେଇ ଏକାଧିକ ବ୍ୟକ୍ତିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଜେରା କରିବା ପରେ ଶୁକ୍ରବାର ଅଷ୍ଟ୍ରେଲିଆ ନାଗରିକ ପଲ୍ ବାର୍ଟେଲ୍ଙ୍କୁ ଗିରଫ କରାଯାଇଛି। ଗୁରୁବାର ତାଙ୍କୁ ୬ ଘଣ୍ଟା ଏନ୍ସିବି ପକ୍ଷରୁ ଜେରା କରାଯାଇଥିଲା। ଡ୍ରଗ୍ସ ଯୋଗାଣକାରୀ ଦକ୍ଷିଣ ଆଫ୍ରିକୀୟ ନାଗରିକ ଆଗିସିଲାଓସ୍ ଡେମେଟ୍ରିଆଡେସ୍ ଓ ଅଭିନେତା ଅର୍ଜୁନ୍ ରାମ୍ପାଲଙ୍କ ବାନ୍ଧବୀ ଗାବ୍ରିଏଲାଙ୍କ ଭାଇ ସହ ତାଙ୍କର ସମ୍ପର୍କ ଥିବା ଜେରାବେଳେ ଜଣାପଡ଼ିଥିଲା। ଏହି ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।
ମୁମ୍ବାଇର ବାନ୍ଦ୍ରାରେ ରୁହନ୍ତି ଓ ବୃତ୍ତିରେ ସେ ଜଣେ ଶିଳ୍ପକାର ବୋଲି ଜଣାପଡ଼ିଛି। ବିଭିନ୍ନ ବ୍ୟବସାୟୀ ଓ ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କ ସହ ତାଙ୍କର ସମ୍ପର୍କ ରହିଛି। ଆଗିସିଲାଓସ୍ଙ୍କଠାରୁ ସେ ଡ୍ରଗ୍ସ କିଣିଥାନ୍ତି। ତେବେ ସେ କାହାକୁ ଏହା ବିକ୍ରିକରନ୍ତି, ତା’ର ଅନୁସନ୍ଧାନ ଆରମ୍ଭ ହୋଇଛି। ପ୍ରକାଶଥାଉ କି, ଏହି ଠଡ୍ରଗ୍ସ ମାମଲାରେ ପୂର୍ବରୁ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ, ଭାଇ ସୌଭିକ୍ଙ୍କ ସମେତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଅଭିନେତ୍ରୀ ଦୀପିକା ପାଦୁକୋନ୍, ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ପ୍ରମୁଖଙ୍କୁ ଜେରା କରାଯାଇଥିଲା।