Categories: ଖେଳ

ବିଶ୍ୱରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ବ୍ରିସବେନ,୧୬।୬: ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଷ୍ଟିଫେନ ନେରୋ ଦୃଷ୍ଟିହୀନ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୧୪୦ ବଲରୁ ନେରୋ ଅପରାଜିତ ୩୦୯ ରନ୍‌ ସ୍କୋର କରିଥିଲେ। ଏହା ଏକ ବିଶ୍ୱ ରେକର୍ଡ। ଏହାପୂର୍ବରୁ ୧୯୯୮ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନର ମାସୁଦ ଜାନ ଅପରାଜିତ ୨୬୨ ରନ୍‌ କରିବାର ରେକର୍ଡ ରଖିଥିଲେ।
ନେରୋ ନିଜ ବିସ୍ଫୋରକ ଇନିଂସରେ ୪୯ ଚୌକା ଓ ଗୋଟିଏ ଛକା ମାରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ନେରୋଙ୍କର କ୍ରମାଗତ ତୃତୀୟ ଶତକ। ନେରୋ ଅଷ୍ଟ୍ରେଲିଆର ସପ୍ତମ ଖେଳାଳି ଯିଏକି କ୍ରିକେଟର ଯେକୌଣସି ଫର୍ମାଟ୍‌ରେ ତ୍ରିଶତକ ହାସଲ କରିଛନ୍ତି। ଏହାପୂର୍ବରୁ କିମ୍ବଦନ୍ତୀ ଡନ ବ୍ରାଡମ୍ୟାନ (ଦୁଇଥର), ବବ ସିମ୍ବସନ, ବବ କୋପର, ମାର୍କ ଟେଲର, ମାଥ୍ୟୁ ହେଡେନ, ମାଇକେଲ କ୍ଲାର୍କ ଏବଂ ଡେଭିଡ୍‌ ୱାର୍ନର କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି।
ଷ୍ଟିଫେନ ନେରୋଙ୍କ ବିଶ୍ୱ ରେକର୍ଡ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ୨ ଉଇକେଟ ହରାଇ ୫୪୧ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୨୬୯ ରନରେ ପରାସ୍ତ କରିଛି।

Share