ସିଡନୀ,୧୦।୩: ଅଷ୍ଟ୍ରେଲିଆ ପାଇଁ ୩୮ ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ କ୍ରିକେଟର ଶୌନ ମାର୍ଶ ଫାଷ୍ଟ କ୍ଲାସ୍(ପ୍ରଥମ ଶ୍ରେଣୀ) ଏବଂ ଓଡିଆଇ(ଦିନିକିଆ) କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏବେ ତାଙ୍କୁ କେବଳ ଟି -୨୦ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ। ୨୦୦୧ ରେ ଡେବ୍ୟୁ କରିଥିବା ମାର୍ଶ ୨୨ ବର୍ଷ ଧରି ପ୍ରଥମ ଶ୍ରେଣୀ କ୍ରିକେଟରେ ପଶ୍ଚିମ ଅଷ୍ଟ୍ରେଲିଆ ଏବଂ ଅଷ୍ଟ୍ରେଲିଆ ଜାତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ମାର୍ଶ ଶେଷ ଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ପାଇଁ ଖେଳୁଥିବା ଦେଖାଯାଇଥିଲା।
ମାର୍ଶ ୧୭ ବର୍ଷ ବୟସରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ଏବେ ଅବସର ନେବାବେଳେ ସେ ପ୍ରାୟ ୪୦ ବର୍ଷର ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ଖେଳିଥିବା ୧୮୩ ମ୍ୟାଚ୍ର ୩୨୪ ଇନିଂସରେ ୩୨ ଥର ଅପରାଜିତ ରହି ହାରାହାରି ୪୧.୨୦ ରେ ୧୨,୦୩୨ ରନ ସ୍କୋର କରିଥିଲେ। ଏଥିରେ ୩୨ ଶତକ ଏବଂ ୫୮ ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ରହିଥିଲା। ଗୋଟିଏ ଇନିଂସରେ ୨୧୪ ରନ୍ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ଏଥି ସହିତ, ସେ ହାରାହାରି ୩୪.୩୧ରେ ୩୮ ଟେଷ୍ଟ ମ୍ୟାଚରେ ୨,୨୬୫ ରନ୍ ସ୍କୋର କରିଥିଲେ। ଏଥିରେ ତାଙ୍କର ୬ ଶତକ ଏବଂ ୧୦ ଅର୍ଦ୍ଧଶତକ ରହିଥିଲା। ସେହିଭଳି ସେ ନିଜର କ୍ୟାରିୟରରେ ୭୩ ଦିନିକିଆ ମ୍ୟାଚ୍ ଖେଳିଥିଲେ। ୧୫୧ ରନ୍ ଦିନିକିଆରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।