Categories: ଖେଳ

ବିଶ୍ୱକପ୍‌ ଫାଇନାଲରେ ଭାରତକୁ ଆଘାତ ଦେଇଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଓ୍ବାର୍ଡ ଦେଲା ଆଇସିସି, ପଛରେ ପଡିଲେ ମ୍ୟାକ୍ସୱେଲ, ଶାମି

ନୂଆଦିଲ୍ଲୀ,୧୧।୧୨: ନଭେମ୍ବର ୨୦୨୩ ପାଇଁ ଆଇସିସି ପ୍ଲେୟର ଅଫ ଦ ମାସ ଘୋଷଣା କରିଛି। ଆଇସିସି ପ୍ଲେୟାର ଅଫ ଦ ମାସ ଭାବରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌ଙ୍କୁ ଚୟନ କରାଯାଇଛି। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ଏହି ଅଷ୍ଟ୍ରେଲୀୟ ଖେଳାଳି ଅତ୍ୟନ୍ତ ସ୍ବତନ୍ତ୍ର ଇନିଂସ ଖେଳିଥିଲେ ଏବଂ ତାଙ୍କ ଦଳକୁ ଷଷ୍ଠ ଥର ବିଶ୍ୱ ଚାମ୍ପିୟନ ହେବାକୁ ସାହାଯ୍ୟ କରିଥିଲେ।

ନଭେମ୍ବର ପ୍ଲେୟାର ଅଫ ଦ ମାସ ପାଇଁ ଆଇସିସି ମୋଟ ୩ ଖେଳାଳିଙ୍କୁ ମନୋନୀତ କରିଥିଲା ଯେଉଁଥିରେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍‌, ଗ୍ଲେନ ମ୍ୟାକ୍ସୱେଲ ଏବଂ ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ସାମିଲ ହୋଇଥିଲେ, କିନ୍ତୁ ଶେଷରେ ଟ୍ରାଭିସ ହେଡ୍‌ ବାଜିମାରିନେଇଛନ୍ତି।

ଟ୍ରାଭିସ ହେଡ୍‌ ଚଳିତ ମାସରେ ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଫର୍ମାଟରେ ଦୁଇଟି ସ୍ମରଣୀୟ ଇନିଂସ ଖେଳିଛନ୍ତି। ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ବିଶ୍ୱକପ୍‌ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତ ଅର୍ଦ୍ଧଶତକ ଖେଳିଥିଲେ ଏବଂ ୨ ଉଇକେଟ୍‌ ମଧ୍ୟ ନେଇଥିଲେ। ଏଥି ସହିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚରେ ଏହି ଖେଳାଳି ଭାରତ ବିପକ୍ଷରେ ୧୩୭ ରନ୍‌ର ଇନିଂସ ଖେଳି ଦଳ ପାଇଁ ବିଜୟ ସୁନିଶ୍ଚିତ କରିଥିଲେ ଏବଂ ଅଷ୍ଟ୍ରେଲିଆକୁ ଷଷ୍ଠ ଥର ପାଇଁ ଦିନିକିଆ ବିଶ୍ୱକପ୍‌ରେ ଚାମ୍ପିୟନ କରାଇଥିଲେ।

Share