ନୂଆଦିଲ୍ଲୀ,୧।୫: ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା ଭୟଙ୍କର ସ୍ଥିତିକୁ ଦେଖି ଆଇପିଏଲ୍ ଅଧାରୁ ଛାଡ଼ି ସ୍ବଦେଶ ଫେରିଛନ୍ତି କିଛି ବିଦେଶୀ ଖେଳାଳି। ହେଲେ ଅଷ୍ଟ୍ରେଲିଆ ଖେଳାଳି ଏଭଳି ନିଷ୍ପତ୍ତି ଲାଗି ଏବେ ଅଡ଼ୁଆରେ ପଡ଼ିପାରନ୍ତି। କାରଣ ଏହା ପୂର୍ବାପେକ୍ଷା ଅଧିକ କଷ୍ଟକର ହୋଇଛି। ଭାରତ ପାଇଁ ଦେଶରେ କିଛି କଡ଼ା ନିୟମ ଲାଗୁ କରାଯାଇଛି। ଯଦି ଖେଳାଳିମାନେ ଫେରନ୍ତି ତେବେ କେବେଳ ଜରିମାନା ନୁହେଁ ବରଂ ସେମାନଙ୍କୁ ଜେଲ ହୋଇପାରେ ବୋଲି ‘ସିଡନୀ ମର୍ଣ୍ଣିଂ ହେରାଲ୍ଡ’ର ଏକ ରିପୋର୍ଟରେ କୁହାଯାଇଛି।
ରିପୋର୍ଟରେ କୁହାଯାଇଛି, ସରକାର ଭାରତରୁ ପ୍ରବେଶ କରୁଥିବା ଯେକୌଣସି ବ୍ୟକ୍ତି ଉପରେ ଜରିମାନା ଲାଗିଥବା ସହ ତାଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛି। ବର୍ତ୍ତମାନ ୧୪ ଅଷ୍ଟ୍ରେଲିୟ କ୍ରିକେଟର ଆଇପିଏଲ୍ ଖେଳୁଛନ୍ତି। ସେମାନଙ୍କ ମଧ୍ୟରେ ଡେଭିଡ୍ ଓ୍ବାର୍ନର, ଷ୍ଟିଭ୍ ସ୍ମିଥ, ଗ୍ଲେମ ମାକ୍ସଓ୍ବେଲ ପ୍ରମୁଖ ଅଛନ୍ତି। ଏହାଛଡ଼ା କିଛି ଅଷ୍ଟ୍ରେଲିୟ ବିଭିନ୍ନ ଫ୍ରାଞ୍ଚାଇଜ୍(କୋଚିଂ/ସପୋର୍ଟ ଷ୍ଟାଫ୍/ଟିଭି କମେଣ୍ଟ୍ରି) ସହ ଜଡ଼ିତ ଅଛନ୍ତି। ଏବେ ସେମାନେ ଅସୁବିଧାରେ ଫସି ପାରନ୍ତି ବୋଲି କୁହାଯାଉଛି। କାରଣ ବର୍ତ୍ତମାନ ପରିସ୍ଥିତିରେ ଭାରତରୁ ସ୍ବଦେଶକୁ ଫେରୁଥିବା ଲୋକଙ୍କୁ ଅପରାଧୀ ଘୋଷିତ କରାଯିବା ସହ ୬୬ହଜାର ଡଲାର ଜରିମାନା ଏବଂ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇପାରେ।
ମୋଟ ଉପରେ ଦେଖିଲେ ୩୬ହଜାର ଅଷ୍ଟ୍ରେଲିୟ ନାଗରିକ ବିଦେଶରେ ଫସି ରହିଛନ୍ତି। ସେଥିରୁ ଭାରତରେ ୯ହଜାର ଅଛନ୍ତି। ସେମାନଙ୍କ ମଧ୍ୟରେ ଆଇପିଏଲ୍ରେ ଭାଗ ନେଉଥିବା ଖେଳାଳି ଏବଂ କୋଚିଂ ଷ୍ଟଫ୍ ସାମିଲ ଅଛନ୍ତି। ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ଖେଳାଳିମାନେ ନିଜସ୍ବ ଭାବେ ଭାରତ ଯାଇଥିବା ଯୋଗୁ ସେଭଳି ଭାବେ ଫେରିବାକୁ କହିଥିଲେ।