ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ମ୍ୟାଚ୍ ବେଳେ ଟଏଲେଟ୍ ବ୍ରେକ ଲାଗି କାନାଡା ଖେଳାଳି ଡେନିସ ଶାପୋଭାଲୋଭଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅମ୍ପାୟର ଅନୁମତି ଦେଇ ନ ଥିଲେ।
ମାର୍ଗରେଟା କୋର୍ଟ ଏରିନାରେ ମଙ୍ଗଳବାର ଖେଳାଯାଇଥିବା ଇଟାଲିର ଜାନିକ ସିନ୍ନରଙ୍କ ବିପକ୍ଷ ମ୍ୟାଚ୍ରେ ବିଶ୍ୱର ୧୧ତମ ର଼୍ୟାଙ୍କଧାରୀ ଶାପୋଭାଲୋଭ ମ୍ୟାଚ୍ ଅଧାରେ ଅମ୍ପାୟର ନିକୋ ହେଲଓ୍ବେର୍ଥଙ୍କୁ ଟଏଲେଟ୍ ବ୍ରେକ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ନିୟମ ଠାରୁ ଅଧିକ ଥର ଟଏଲେଟ୍ ଯିବାକୁ ଅନୁମତି ଦେଇପାରିବେ ନାହିଁ କହିଥିଲେ ଜର୍ମାନୀ ଅମ୍ପାୟର। ଏଥି ଯୋଗୁ ୨୧ ବର୍ଷୀୟ କାନାଡା ଖେଳାଳି ଉତ୍ତ୍ୟକ୍ତ ହୋଇ କହିଥିଲେ ” ମୁଁ ଟଏଲେଟ୍ ପଳେଇଲେ, କ’ଣ ହୋଇଯିବ? ମୋତେ ଜରିମାନା କରାଯିବ ନା ପ୍ରତିଯୋଗିତାରୁ ବିଦା କରିଦେବ ? ଏହାକୁ ମୁଁ ଖାତିର କରୁନାହିଁ। ମୋତେ ଟଏଲେଟ୍ ଯିବାର ଅଛି। ନ ହେଲେ ମୁଁ ପ୍ୟାଣ୍ଟ କି ବୋତଲରେ ପରିସ୍ରା କରିଦେବି“।
ଉଲ୍ଲେଖଥାଉ କି, ୫ ସେଟ୍ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଶାପୋଭାଲୋଭ ୩-୬, ୬-୩, ୬-୨, ୪-୬, ୬-୪ ବ୍ୟବଧାନରେ ଜିତିଥିଲେ। ମ୍ୟାଚ୍ ଜିତିବା ପାଇଁ ତାଙ୍କୁ ପ୍ରାୟ ୪ ଘଣ୍ଟା ଲାଗିଥିଲା।