Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାଲିଫାୟର୍ସ: ଫାଇନାଲରେ ହାରିଲେ ଅଙ୍କିତା

ମେଲବୋର୍ନ,୧୪।୧(ପି.ଟି.): ଭାରତୀୟ ମହିଳା ଟେନିସ ଖେଳାଳି ଅଙ୍କିତା ରାଇନାଙ୍କର ଅଷ୍ଟ୍ରେଲିଆନ୍‌ ଓପନ୍‌ ମୁଖ୍ୟ ଟୁର୍ନାମେଣ୍ଟ ଖେଳିବା ଆଶା ପୁଣି ଥରେ ଧୂଳିସାତ୍‌ ହୋଇଛି। ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାଲିଫାଇଂ ଇଭେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ପରାସ୍ତ ହୋଇଛନ୍ତି। ଫଳରେ ତାଙ୍କର ଏହି ଆଶା ଅପୂରଣୀୟ ରହିଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ସେ ସର୍ବିୟାର ଓଲ୍‌ଗା ଡାନିଲୋଭିକଙ୍କଠାରୁ ପରାସ୍ତ ହୋଇଛନ୍ତି।
ମହିଳା ସିଙ୍ଗଲ୍ସ କ୍ୱାଲିଫାଇଂ ଇଭେଣ୍ଟ ଦୁବାଇରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଅଙ୍କିତା ମାତ୍ର ୨ ଘଣ୍ଟା ମଧ୍ୟରେ ୨-୬, ୬-୩, ୧-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। କୌଣସି ମେଜର ଟୁର୍ନାମେଣ୍ଟ ଖେଳିବା ପାଇଁ ଅଙ୍କିତାଙ୍କର ଥିଲା ଏହା ଷଷ୍ଠ ପ୍ରୟାସ। ବର୍ତ୍ତମାନ ସୁମିତ ନାଗାଲ ଏକମାତ୍ର ଭାରତୀୟ ଖେଳାଳିଭାବେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ ପୁରୁଷ ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ। ସିଙ୍ଗଲ୍ସ ପାଇଁ ନାଗାଲଙ୍କୁ ଓ୍ବାଇଲ୍ଡ କାର୍ଡ ମିଳିଛି। ପୂର୍ବରୁ ଅନ୍ୟତମ ଭାରତୀୟ ପୁରୁଷ ଖେଳାଳି ରାମକୁମାର ରମାନାଥନ ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ। ସେହିପରି ପ୍ରଜନେଶ ଗୁଣେଶ୍ୱରନ ଦ୍ୱିତୀୟ ରାଉଣ୍ଡରେ ଫ୍ରାନ୍ସର କନ୍‌ଷ୍ଟାଣ୍ଟ ଲେଷ୍ଟଏନେଙ୍କଠାରୁ ୨-୬, ୩-୬ରେ ପରାସ୍ତ ହୋଇଥିଲେ।

Share