Categories: ଖେଳ

ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍‌ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିଆନ୍‌ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦ୍ୱିତୀୟ ସିଡ୍ ରୋହାନ୍-ଏବଡେନ୍ ଯୋଡି ଇଟାଲୀର ସିମୋନ୍ ବୋଲେଲି ଏବଂ ଆଣ୍ଡ୍ରେ ଭାଭାସୋରିଙ୍କୁ ୭-୬ (୦), ୭-୫ ରେ ପରାସ୍ତ କରିଛନ୍ତି।

ଖେଳ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିବାରେ ୪୩ ବର୍ଷ ବୟସ୍କ ରୋହନ ବୋପାନ୍ନା ସବୁଠୁ ବୟସ୍କ ପୁରୁଷ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ନେଦରଲ୍ୟାଣ୍ଡର ଜାନ୍-ଜୁଲିଏନ୍ ରୋଜରଙ୍କ ନାମରେ ଏହି ରେକର୍ଡ ଥିଲା, ଯିଏ ୪୦ ବର୍ଷ ନଅ ମାସ ବୟସରେ ମାର୍ସେଲୋ ଆରେଭୋଲାଙ୍କୁ ସାଥି କରି ଫ୍ରେଞ୍ଚ ଓପନରେ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ।

ଫାଇନାଲ ମ୍ୟାଚରେ ଇଟାଲୀ ଖେଳାଳିମାନେ ବୋପାନ୍ନା-ଏବଡେନ୍ଙ୍କୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ ସେଟ୍ ଟାଇ-ବ୍ରେକର ପର୍ଯ୍ୟନ୍ତ ଯାଇଥିଲା। ଟାଇବ୍ରେକରରେ, ବୋପାନ୍-ଏବଡେନ୍ ଗୋଟିଏ ହେଲେ ଗେମ୍ ହରାଇ ନଥିଲେ ଏବଂ ପ୍ରଥମ ସେଟ୍ ଜିତିଥିଲେ। ଦ୍ୱିତୀୟ ସେଟ୍ ମଧ୍ୟ ଆକର୍ଷଣୀୟ ଥିଲା, ଯଦିଓ ସେହି ସେଟ୍ ର ଏକାଦଶ ଗେମରେ ଇଟାଲୀ ଖେଳାଳିଙ୍କ ସର୍ଭିସ ବ୍ରେକ ହୋଇଯାଇଥିଲା। ଯାହା ବୋପାନ୍ନା-ଏବଡେନ୍ ସପକ୍ଷରେ ମ୍ୟାଚକୁ ନେଇ ଆସିଥିଲା। ତେବେ ଏହି ଫାଇନାଲ୍ ମ୍ୟାଚ୍ ୧ ଘଣ୍ଟା ୩୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।

ଅଷ୍ଟ୍ରେଲିଆନ୍‌ ଓପନ ଶେଷ ସୁଦ୍ଧା ୧ ନମ୍ବର ସ୍ଥାନ ସୁରକ୍ଷିତ କରିଛନ୍ତି ବୋପାନ୍ନା। ଏଥି ସହିତ, ବୋପାନ୍ନାଙ୍କ ଅନ୍ୟତମ ସଫଳ ସହଯୋଗୀ ମାଥ୍ୟୁ ଏବଡେନ୍ ପୁରୁଷ ଡବଲ୍ସ ମାନ୍ୟତାରେ ୨ ନମ୍ବରରେ ପହଞ୍ଚିବା ନିଶ୍ଚିତ କରିଛନ୍ତି। ମାଥ୍ୟୁ ଏବଡେନ୍ ଜଣେ ଅଷ୍ଟ୍ରେଲୀୟ ଖେଳାଳି ଅଟନ୍ତି।

Share