Categories: ଖେଳ

କମନଓ୍ବେଲ୍‌ଥ ଗେମ୍ସ ୨୦୨୬: ବଜେଟ୍‌ ବଢ଼ିବାରୁ ଆୟୋଜକ ହେବାକୁ ମନା କଲା…

ନୂଆଦିଲ୍ଲୀ,୧୮।୭: ୨୦୨୬ରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା କମନୱେଲ୍‌ଥ ଗେମ୍ସର ଆୟୋଜନକୁ ନେଇ ଏକ ସନ୍ଦେହ ବଢ଼ିବାରେ ଲାଗିଛି। ବଜେଟରେ ବୃଦ୍ଧି ହେତୁ ଭିକ୍ଟୋରିଆ ସରକାର ବର୍ତ୍ତମାନ ଏହି ଖେଳ ଆୟୋଜନ କରିବାକୁ ମନା କରି ଦେଇଛନ୍ତି। ଏହି ଖେଳ ଆୟୋଜନର ବଜେଟ୍‌ ଦ୍ୱିଗୁଣିତ ହୋଇଥିବା ହେତୁ ଆମେ ଏହାକୁ ଆୟୋଜନ କରିବାରେ ସକ୍ଷମ ନୋହୁଁ ବୋଲି ଜୁଲାଇ ୧୮ରେ ସେଠାର ସରକାର ଦେଇଥିବା ସୂଚନାରେ କୁହାଯାଇଛି ।

କମନୱେଲଥ ଗେମ୍ସ ୨୦୨୬ରେ ୨୦ ରୁ ଅଧିକ ଇଭେଣ୍ଟ ଆୟୋଜିତ ହେବ। ଏଥିରେ ୫ ହଜାରରୁ ଅଧିକ ଆଥଲେଟ୍‌ ଅଂଶଗ୍ରହଣ କରିବେ। ଭିକ୍ଟୋରିଆ ପ୍ରିମିୟର୍‌ ଡାନିଏଲ ଆଣ୍ଡ୍ର୍ୟୁସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆୟୋଜନକୁ ପ୍ରତ୍ୟାଖ୍ୟାନ କରିବାର ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ଯେ ଗତ ବର୍ଷ ଏହାକୁ ଆୟୋଜନ କରିବା ପାଇଁ କମନୱେଲଥ ଗେମ୍ସ ଫେଡେରେସନ ଆମ ସହ ସମ୍ପର୍କ କରିଥିଲା। ଯେତେବେଳେ ଆମେ ଏହାକୁ ଗତ ବର୍ଷ ଆୟୋଜନ କରିବାର ଅନୁମତି ପାଇଥିଲୁ, ସେତେବେଳେ ଏହି ଖେଳଗୁଡିକର ଆୟୋଜନ ପାଇଁ ଆନୁମାନିକ ଖର୍ଚ୍ଚ ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ଥିଲା। କିନ୍ତୁ ଯେତେବେଳେ ଆମେ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କଲୁ, ବର୍ତ୍ତମାନ ଖର୍ଚ୍ଚ ୩୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। । ତେଣୁ ଏହାକୁ ଆୟୋଜନ ନ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ନିଷ୍ପତ୍ତି ବିଷୟରେ ଆମେ ଫେଡେରେଶନକୁ ମଧ୍ୟ ଜଣାଇଛୁ। ଆମେ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଛୁ। ବିଦ୍ୟାଳୟ ଏବଂ ଡାକ୍ତରଖାନାର ଟଙ୍କା ହ୍ରାସ କରି ଆମେ ଏହି ଖେଳର ଆୟୋଜକ ହୋଇ ପାରିବୁ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷେ ୫ ଥର କମନ୍‌ଓ୍ବେଲ୍‌ଥ ଗେମ୍ସ ଆୟୋଜନ କରିଥିବା ଅଷ୍ଟ୍ରେଲିଆ ଏଭଳି ନିଜର ଅସମର୍ଥତା ପ୍ରକାଶ କରିବା ଦ୍ୱାରା ଫେଡେରେଶନ ମଧ୍ୟ ନିରାଶା ପ୍ରକାଶ କରିଛି। ଭିକ୍ଟୋରିଆ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଫେଡେରେଶନ କହିଛି ଯେ ଏହି ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ଆମକୁ କୌଣସି ସୂଚନା ଦେଇନାହାନ୍ତି। ଜୁନ ମାସରେ ହୋଇଥିବା ବୈଠକରେ ବଜେଟ ୧୫ ହଜାର କୋଟି ଟଙ୍କା ଥିଲା, ଯାହା ବର୍ତ୍ତମାନ ଦ୍ୱିଗୁଣିତ ହେବ ବୋଲି କୁହାଯାଉଛି। ସମସ୍ତ ବିଷୟକୁ ଧ୍ୟାନରେ ରଖି ଆମେ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବୁ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି।

Share