Categories: ଖେଳ

୪୬ ଦିନରେ ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ, ସବୁଠାରୁ ଅଧିକ ରନ୍‌ କଲା ଭାରତୀୟ ଟିମ୍‌

ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍‌ ରନ୍‌ର ବର୍ଷା କରିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ୍‌ ବିନିମୟରେ ୫୨୫ ରନ୍‌ କରି ୮୯ ବର୍ଷର ରେକର୍ଡ ଭାଙ୍ଗିଥିଲା । ଦ଼୍ବିତୀୟ ଦିନର ମ୍ୟାଚ୍‌ ଆରମ୍ଭରୁ ହରମନ୍‌ପ୍ରୀତ୍‌ କୌର ରିଚା ଘୋଷଙ୍କ ସିହତ ମିଶି ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି । ଭାରତୀୟ ଟିମ୍‌ ମହିଳା ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ଗୋଟିଏ ପାଳିରେ ସବୁଠାରୁ ଅଧିକ ରନ୍‌ କରିଥିବା ଦଳ ହୋଇଛି । ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆରେ ନାମରେ ରହିଥିଲା । ମାତ୍ର ୪୬ ଦିନରେ ଏହି ରେକର୍ଡ ଭାଙ୍ଗିିଛି । ଅଷ୍ଟ୍ରେଲିଆ ୧୫ ଫେବୃଆରୀ ୨୦୨୪ରେ ୫୭୫ ରନ୍‌ କରି ଏହି ରେକର୍ଡ କରିଥିଲା । ହେଲେ ଭାରତ ୬ ୱିକେଟ୍‌ ହରାଇ ୬୦୩ ରନ୍‌ରେ ପାଳି ଘୋଷଣା କରିଛି ।

ସୂଚନା ଥାଉକି, ଶୁକ୍ରବାର ଚେନ୍ନାଇର ଚେପାକ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ୪ ୱିକେଟ ବିନିମୟରେ ୫୨୫ ରନ ସଂଗ୍ରହ କରିଥିଲା । ଶେଫାଳୀ ବର୍ମା ଦ୍ୱିଶତକ ହାସଲ କରିଥିବାବେଳେ ସ୍ମୃତି ମାନ୍ଦନା ୧୪୯ ରନକରି ପାଭିଲିୟନକୁ ଫେରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ୱିକେଟ ପାଇଁ ୨୯୨ ରନର ଭାଗିଦ୍ରୀ ଖେଳି ରେକର୍ଡ କରିଥିଲେ।

ମହିଳା ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ଏହା ସର୍ବାଧିକ ସ୍କୋର । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା। ୧୯୩୫ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ ୱିକେଟ ବିନିମୟରେ ଦଳ ୪୩୧ ରନ ସଂଗ୍ରହ କରିଥିଲା। ଅନ୍ୟପଟେ ୨୦ ବର୍ଷୀୟ ଶାଫାଳୀ ବର୍ମା ମାତ୍ର ୧୯୪ଟି ବଲରେ ନିଜର ଦ୍ୱିଶତକ ପୂରଣ କରି ପଡ଼ିଆ ଛାଡିଥିଲେ। ଜଣେ ଅଷ୍ଟ୍ରେଲୀୟ ଖେଳାଳି ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୪୮ ବଲରେ ଦ୍ୱିଶତକ ହାସଲ କରିଥିଲେ। ୫ତମ ଟେଷ୍ଟ ଖେଳୁଥିବା ଶେଫାଳୀ ତାଙ୍କ ଆକ୍ରମଣାତ୍ମକ ଇନିଂସରେ ୨୩ଟି ଚୌକା ଓ ୮ଟି ଛକା ମାରିଥିଲେ । ଏହାପୂର୍ବରୁ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ୯୬ ରନ ଥିଲା। ଭାରତୀୟ ମହିଳା ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜଙ୍କ ପରେ ଦ଼୍ବିତୀୟ ଭାରତୀୟ ମହିଳା କ୍ରିକେଟର ଭାବେ ଏହି ଦ଼୍ବି ଶତକ ହାସଲ କରିଛନ୍ତି ।

Share